ବ୍ରହ୍ମପୁରରେ ବାଲିଅନ୍ତା ଭଳି ବର୍ବରତା; ଜଣେ ଯୁବକ ଓ ଯୁବତୀଙ୍କୁ ରୋଡ଼ ଉପରେ ନିର୍ମମ ଭାବେ ପିଟୁଛନ୍ତି କେତେଜଣ ଦୁବୃର୍ତ୍ତ ।

ଅକ୍ଷର ବ୍ୟୁରୋ: ବ୍ରହ୍ମପୁରରେ ବାଲିଅନ୍ତା ଭଳି ବର୍ବରତା । ଦିନକ ପୂର୍ବରୁ ଜଣେ ଅପରାଧୀକୁ ପୁଲିସ ଏନ୍‌କାଉଣ୍ଟର କରିଛି । ସୋମବାର ସନ୍ଧ୍ୟାରେ ପୁଣି ଅପରାଧୀଙ୍କ ଆତଙ୍କରାଜ । ଆକ୍ରମଣରେ ଆହତ ହୋଇଛନ୍ତି ଗଜପତି ନଗରର ଉମେଶ ରଥ । ଜଣେ ଯୁବକ ଓ ଯୁବତୀଙ୍କୁ ନିର୍ମମ ଭାବେ ପିଟୁଛନ୍ତି କେତେଜଣ ଲୋକ । ତାଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ବାନ୍ଧବୀଙ୍କୁ ମଧ୍ୟ ପିଟିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଚାରିପାଖରେ ଲୋକ ଅଛନ୍ତି, କିନ୍ତୁ ଦୁବୃର୍ତ୍ତଙ୍କ ସେଥିକୁ ଖାତିର ନାହିଁ । ଜନାକୀର୍ଣ୍ଣ ଗିରିରୋଡ୍‌ରେ ରାତି ୯ଟା ବେଳର ଦୃଶ୍ୟ । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ଉମେଶ ଓ ତାଙ୍କ ବାନ୍ଧବୀ ଗିରିରୋଡ଼ରେ ଏକ ମୋମୋ ଦୋକାନ ଆଗରେ ଠିଆ ହୋଇଥିବାବେଳେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି ।

ଆହତ ଉମେଶ ଓ ତାଙ୍କ ବାନ୍ଧବୀଙ୍କୁ ସ୍ଥାନୀୟ ଲୋକ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଉମେଶଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ ବିଭିନ୍ନ ଅଙ୍ଗରେ କ୍ଷତ ଲାଗିଛି । ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତରଖାନାରେ ଏସ୍ପି ଡା.ସରବଣା ବିବେକ ଏମ୍ ପହଞ୍ଚି ଅନୁଧ୍ୟାନ କରିବା ସହ ଘଟଣା ସମ୍ପର୍କରେ ପଚରାଉଚରା କରି ଫେରିଛନ୍ତି । ଘଟଣାସ୍ଥଳରେ ଟାଉନ୍ ଥାନା ଆଇଆଇସି ରାମ ସୁବ୍ରମଣ୍ୟମ୍ ପ୍ରଧାନ ଓ ବୈଦ୍ୟନାଥପୁର ଥାନା ଆଇଆଇସି ସୁବ୍ରତ ବେହୁରା ପହଞ୍ଚି ଛାନଭିନ୍ କରିଛନ୍ତି । ପୂର୍ବ ଶତ୍ରୁତାରୁ ଉମେଶ ଉପରେ ଆକ୍ରମଣ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରେ ଜଣାପଡିଛି । ଅନ୍ୟପଟେ ପୋଲିସ ଆକ୍ରମଣକାରୀଙ୍କୁ ଚିହ୍ନଟ କରିସାରିଛି । ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ବ୍ରହ୍ମପୁର ଆକ୍ରମଣ ଘଟଣାରେ ଆଇନଶୃଙ୍ଖଳା ଏଡିଜି ସଂଜୟକୁମାର ଏହି ସୂଚନା ଦେଇଛନ୍ତି । ତେବେ ସହର ଭିତରେ ରାତି ୯ଟାରେ ଏଭଳି ଆତଙ୍କରାଜ ପୋଲିସକୁ ଅପରାଧୀଙ୍କ ଡର ନଥିବା ସୂଚାଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)