ଚଳଚଞ୍ଚଳ ରଥଖଳା, ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ; ତିନିରଥର ୪୨ ଗୋଟି ଚକ ନିର୍ମାଣକାର୍ଯ୍ୟ ଶେଷ ପରେ ଚଉତାରେ ବିନ୍ଧ ଖୋଦେଇ ଆରମ୍ଭ

ଅକ୍ଷର ବ୍ୟୁରୋ: ଚଳଚଞ୍ଚଳ ରଥଖଳା, ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର କେଇଟା ଦିନ । ତତ୍ପର ଅଛନ୍ତି ମହାରଣା ସେବାୟତ । ନିର୍ଦ୍ଧାରିତ ସମୟ ଭିତରେ ରଥକାମ ସାରିବାକୁ ସମସ୍ତେ ବ୍ୟସ୍ତ । ଏଇ ଭିତରେ ତିନିରଥର ୪୨ ଗୋଟି ଚକ ନିର୍ମାଣକାର୍ଯ୍ୟ ଶେଷ ହୋଇଛି । ଏବେ ଅଖ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତିନିରଥର ମୋଟ ୨୧ ଗୋଟି ଅଖ ମଧ୍ୟରୁ ଚକ ଡେରା ନୀତି ପାଇଁ ତିନି ଗୋଟି ଅନୁକୂଳ ଅଖ ନିର୍ମାଣ ଶେଷ ହୋଇଥିଲା ବାକି ତିନି ରଥର ୧୮ ଅଖର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ରଥ ଚାଳିରେ ଚଉତା ତଥା ଭୂଇଁ କାଠରେ ବିନ୍ଧ ଅନୁକୂଳ କରାଯାଇଛି ।

ମୁଖ୍ୟ ବିଶ୍ୱକର୍ମା ମାଳ, ମାହାର୍ଦ୍ଦ ଓ ଶ୍ରୀଫଳ ଦେଇ ଚଉତାରେ ବିନ୍ଧ ଖୋଦେଇ ଆରମ୍ଭ କଲେ । ପରେ ନିପୁଣ କାରିଗରମାନେ ବିନ୍ଧ ତିଆରୁଛନ୍ତି । ଚଉତା ହେଉଛି ରଥର ଉପରିଭାଗ ଭୂଇଁ କାର୍ଯ୍ୟ । ତିନି ରଥର ଅଖ ତିଆରି ଉପରେ ଏବେ ଜୋର୍ ଦିଆଯାଉଛି । ନାହାକା ଅଖ ୩ଟି ସଂଯୋଗ ପରେ ବାକି ୧୮ଟି ଅଖ ତିଆରି ଚାଲିଛି । ଏପଟେ ଗରଗରା ଚଉପଟ ଓ ଗୟଳ ଚିରା ଜାରି ରହିଛି । ରଥ ନିର୍ମାଣସ୍ଥଳୀକୁ ଆଖନ୍ଦ କରାଯାଇ ଅଖ ହଣା ଆରମ୍ଭ ହୋଇଯାଇଛି । ଭଉଁରୀ ଉତ୍ସବରେ ତିନି ରଥର ନାହାକା ଅଖ ନିର୍ମାଣ ସରି ଚକ ସଂଯୋଗ ସରିଥିଲା । ଏବେ ଦେବଦଳନର ବାକି ୫ଟି, ନନ୍ଦିଘୋଷର ୭ଟି ଓ ତାଳଧ୍ୱଜର ୬ଟି ଅଖର ହଣା ଆରମ୍ଭ ହୋଇଛି । ୪୦ ଫୁଟିଆ ଧଉରା କାଠରେ ତିଆରି ହେଉଛି ଅଖ । ରଥର ଭାରା ଚକ ଓ ଅଖ ସମ୍ଭାଳେ । ଅଖ ଉପରେ ଦଣ୍ଡା ଫିଟିଂ ହୋଇ ଗରଗରା ପଡ଼ି ଚାରିନାହାକା ଉଠିବ । ଅଖ ଦୁର୍ବଳ ହେଲେ ରଥ ସ୍ଥିତି ଉପରେ ପ୍ରଭାବ ପଡ଼ିବ । ଏଣୁ ଭଲ କାଠ ପରଖି ତିଆରି ହେଉଛି ରଥ ଅଖ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)