ତିନି ରଥର ଦଣ୍ଡା ଫ୍ରେମ୍ ପ୍ରସ୍ତୁତ; ମୂଳଦୁଆ ପ୍ରସ୍ତୁତ ପରେ ରଥ ଉପରି ଭାଗ କାମ ଆରମ୍ଭ ।

ଅକ୍ଷର ବ୍ୟୁରୋ: ବଡ଼ଦାଣ୍ଡରେ ତିନି ରଥର ଦଣ୍ଡା ଫ୍ରେମ୍ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି । ଗୁରୁବାର ଦଣ୍ଡାରେ ଆଗ-ପଛ ମୁହାଁଟି ଲାଗିଥିଲା । ମୁଖ୍ୟ ପାଞ୍ଚ ଦଣ୍ଡାରେ ଲାଗିଥିଲା ମୁହାଁଟି । ଆଗ ଓ ପଛ ମୁହାଁଟିରେ ପୋତା ହେଲା ଗୁଜ । ୫ ଗୁଜ ଉପରେ ନିରାଡ଼ି ଉଠିଲା । ଏହାପରେ ଚତୁଃପାଶ୍ୱର୍ରେ କୁଡ଼ୁକା ଲାଗିଲା । ପାର୍ଶ୍ବର ଦଣ୍ଡା ଲାଗି ପାଶ୍ୱର୍ ମୁହାଁଟି ସ୍ଥାପନ ହୋଇଥିଲା । ପାର୍ଶ୍ବର ମୁହାଁଟିରେ କୋଣ ଗୁଜ ଓ ଜଳଯନ୍ତ୍ର ସ୍ଥାପନ ହୋଇ ପାର୍ଶ୍ୱ ନିରାଡ଼ି ସ୍ଥାପନ ହୋଇଛି । ଏହାପରେ କଳସା ହୋଇ ନମ୍ବରିଂ ହୋଇ ଦଣ୍ଡା ଫ୍ରେମ୍ ଖୋଲାଯିବ ।

ଏପଟେ ରଥ ଚାଳିରେ ପୋଲ ଗୟଳ କାମ କରୁଛନ୍ତି ବିଶ୍ୱକର୍ମା । କରତି ସେବକମାନେ ଗୟଳ ଚିରଟ ପରେ ବିଶ୍ୱକର୍ମାମାନେ ଏହାକୁ ମାପ ଅନୁସାରେ ଚଉପଟ (ବଳକା ଅଂଶ କାଟି ସାଇଜ୍ କରିବା) କରୁଛନ୍ତି । ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୧୨ଟି ଲେଖାଏଁ ଗୟଳ ଓ ଦେବଦଳନର ୮ଟି ଗୟଳ ରହିଛି । ଶୁକ୍ରବାର ଅଂଶୁଆରୀ କାମ ଆରମ୍ଭ ହୋଇଛି । ଏପଟେ କୁଡ଼ୁକାରେ ବିନ୍ଧ ଚାଲିଛି । ଏହି ବିନ୍ଧରେ ଅଂଶୁଆରୀ ସ୍ଥାପନ ହେବ । ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୧୨ଟି ଲେଖାଏଁ ଓ ଦେବଦଳନର ୮ଟି ଅଂଶୁଆରୀ ରହିଛି । ବିଶ୍ୱକର୍ମାମାନେ ଅଂଶୁଆରୀକୁ ସ୍ଥାପନ ଯୋଗ୍ୟ କରିବା ପରେ ରୂପକାରମାନେ ଏଥିରେ ରୂପ ଗାରେଇବେ (ସାମାନ୍ୟ ଭାବେ ଖୋଦେଇ) । ରଥଖଳାରେ ଗରଗରା ବିନ୍ଧ ହୋଇ ପ୍ରସ୍ତୁତ ରହିଛି । ଚକ ଓ ଅଖଗୁଡ଼ିକ ସଂଯୋଗ କରାଯାଇ ମାପଚୁପ ହୋଇ ରହିଲେ ରଥର ମୂଳଦୁଆ ପ୍ରସ୍ତୁତ ହୋଇ ରଥ ଉପରି ଭାଗ କାମ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)