ଛେଳି ପଶିବାକୁ ନେଇ ରକ୍ତାକ୍ତ ସଂଘର୍ଷ: ଖଣ୍ଡା-ଭୁଜାଲି ଧରି ସଂଘବଦ୍ଧ ଆକ୍ରମଣ, ୩ ଗୁରୁତର

ଅକ୍ଷର ବ୍ୟୁରୋ: ସାମାନ୍ୟ ଛେଳି ପଶିବା ଘଟଣାକୁ କେନ୍ଦ୍ର କରି ବାଲେଶ୍ୱର ଜିଲ୍ଲାରେ ଘଟିଛି ଏକ ଭୟଙ୍କର ସଂଘର୍ଷ। ଖଣ୍ଡା ଓ ଭୁଜାଲି ଧରି ସଂଘବଦ୍ଧ ଆକ୍ରମଣରେ ୩ ଜଣ ଗୁରୁତର ହୋଇଥିବାବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାରୁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ଘଟଣାଟି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଜଗତିପୁର ପଞ୍ଚାୟତ ଅନ୍ତର୍ଗତ ମେଣ୍ଢାପଡ଼ା ବସ୍ତିରେ ଘଟିଛି।

ସୂଚନା ଅନୁସାରେ, ଶେଖ ମୁସ୍ତାଫାଙ୍କ ଘର ବାଡ଼ିରେ ପଡ଼ୋଶୀ ଶେଖ ବେସାଙ୍କ ଛେଳି ପଶି ଫସଲ ନଷ୍ଟ କରିଥିଲା। ଏହାକୁ ନେଇ ମୁସ୍ତାଫାଙ୍କ ସ୍ତ୍ରୀ ପ୍ରତିବାଦ କରିଥିଲେ। ପ୍ରତିବାଦକୁ କେନ୍ଦ୍ର କରି ବେସାଙ୍କ ପୁଅ ଉତ୍ୟକ୍ତ ହୋଇ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ପରେ ଏହି ବିବାଦ ଉଗ୍ର ରୂପ ନେଇଥିଲା।

ଅଭିଯୋଗ ଅନୁଯାୟୀ, ଶେଖ ବେସାଙ୍କ ପରିବାରର ପ୍ରାୟ ୫୦ରୁ ଅଧିକ ଲୋକ ଖଣ୍ଡା ଓ ଭୁଜାଲି ଧରି ଶେଖ ମୁସ୍ତାଫାଙ୍କ ପରିବାର ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।ଆକ୍ରମଣକାରୀମାନେ ଘରର ଗ୍ରିଲ ଭାଙ୍ଗିବା ସହ ଘର ଆଗରେ ରଖାଯାଇଥିବା ବୁଲେଟ୍ ମୋଟରସାଇକେଲର ଲାଇଟ ଭାଙ୍ଗି ଦେଇଥିବା ଏବଂ ଗାଡ଼ିକୁ ନେଇଯାଇଥିବା ନେଇ ମୁସ୍ତାଫାଙ୍କ ପୁଅ ଅଭିଯୋଗ କରିଛନ୍ତି। ଘଟଣାରେ ଆହତମାନଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଜଣେ ଗୁରୁତର ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ବାଲିଆପାଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ତେବେ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଞ୍ଚଳରେ ପୁଲିସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ, ଶେଖ ବେସାଙ୍କ ପରିବାରର କିଛି ସଦସ୍ୟ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଉଭୟ ପକ୍ଷ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିବାବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)