କୁଳିଅଣାରେ ଚାଞ୍ଚଲ୍ୟ: ଥାନା ଆଗରେ ଯୁବକଙ୍କ ଆତ୍ମହତ୍ୟା

ଅକ୍ଷର ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ସମ୍ମୁଖରେ ଘଟିଥିବା ଏକ ଅଭାବନୀୟ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଓ ଉତ୍ତେଜନା ସୃଷ୍ଟି ହୋଇଛି। କାମତା ଗାଁର ଯୁବକ ଶିବପ୍ରସାଦ ବାରିକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସର ମାନସିକ ନିର୍ଯାତନା ଓ ଦୁର୍ବ୍ୟବହାର ଯୋଗୁଁ ଏହି ଘଟଣା ଘଟିଥିବା ଦାବି କରି ସ୍ଥାନୀୟ ଲୋକେ ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଶିବପ୍ରସାଦ ବାରିକ ତାଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ଏକ ବୋଲେରୋ ଗାଡ଼ିକୁ ଭଡ଼ାରେ ଚଲାଉଥିଲେ। କିଛି ଦିନ ପୂର୍ବେ ଗାଡ଼ିଟି ଚୋରି ହୋଇଯିବା ପରେ ସେ କୁଳିଅଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ସତ୍ତ୍ୱେ ପ୍ରାୟ ଏକରୁ ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ଗାଡ଼ି ଉଦ୍ଧାର କିମ୍ବା ତଦନ୍ତରେ ପୁଲିସ ପକ୍ଷରୁ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ପରିବାର ଲୋକଙ୍କ କହିବା ଅନୁସାରେ, ଶିବପ୍ରସାଦ ନିଜ ସ୍ତ୍ରୀ ଓ ସନ୍ତାନମାନଙ୍କୁ ନେଇ ବାରମ୍ବାର ଥାନାକୁ ଯାଇ ଗାଡ଼ିର ସନ୍ଧାନ ପାଇଁ ଅନୁରୋଧ କରୁଥିଲେ। ହେଲେ ତାଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ପୁଲିସ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ। ଶିବପ୍ରସାଦଙ୍କ ମୃତ୍ୟୁ ଖବର ପ୍ରଚାର ପାଇବା ପରେ କୁଳିଅଣା ଓ ଆଖପାଖ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ସ୍ଥାନୀୟ ଲୋକେ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଣାର ପ୍ରକୃତ କାରଣ ଏବଂ ପରିସ୍ଥିତି ସମ୍ପର୍କରେ ଅଧିକାରିକ ତଥ୍ୟ ଅପେକ୍ଷା କରାଯାଉଥିବାବେଳେ, ପୁଲିସ ଏହି ମାମଲାର ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)