ଅକ୍ଷର ବ୍ୟୁରୋ: ଆନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ଅବସରରେ ଢେଙ୍କାନାଳ ସହରରେ ଯୋଗକୁ ନେଇ ଦେଖିବାକୁ ମିଳିଥିଲା ଅପୂର୍ବ ଉତ୍ସାହ ଓ ଉଦ୍ଦୀପନା। ପିଏମ୍ ଶ୍ରୀ ବି.ବି. ହାଇସ୍କୁଲ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ହଜାର ହଜାର ଯୋଗପ୍ରେମୀ, ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ ଓ ସାଧାରଣ ଜନତା ଯୋଗଦେଇ ସୁସ୍ଥ ଜୀବନଶୈଳୀର ବାର୍ତ୍ତା ପ୍ରଚାର କରିଥିଲେ।

ଏହି ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗର ମହତ୍ତ୍ୱ ଉପରେ ବିସ୍ତୃତ ମତ ରଖିଥିଲେ। ସେ କହିଥିଲେ, ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ଏହା ଏକ ସମ୍ପୂର୍ଣ୍ଣ ଜୀବନଶୈଳୀ। ଯୋଗ ଆମକୁ ଶାରୀରିକ ଭାବେ ସୁସ୍ଥ, ମାନସିକ ଭାବେ ସଶକ୍ତ ଏବଂ ଆତ୍ମିକ ଭାବେ ସନ୍ତୁଳିତ ରଖିଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ଆବଶ୍ୟକ। ମନ୍ତ୍ରୀ ଯୁବପିଢ଼ୀଙ୍କୁ ଯୋଗ ଓ ସ୍ୱାସ୍ଥ୍ୟକର ଜୀବନଧାରା ଅପଣାଇବାକୁ ଆହ୍ୱାନ କରିବା ସହ ଯୋଗ ମାଧ୍ୟମରେ ସୁସ୍ଥ ସମାଜ ଗଠନରେ ସମସ୍ତଙ୍କ ଭୂମିକା ରହିଥିବା କହିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୂହାଣ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦୀପ୍ତି ରଞ୍ଜନ ସେଠୀ ଓ ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ଯୋଗ ମହୋତ୍ସବ ସମିତି, ଢେଙ୍କାନାଳର ପ୍ରଶିକ୍ଷକମାନଙ୍କ ନେତୃତ୍ୱରେ ଏକ ବିଶାଳ ସାମୂହିକ ଯୋଗାଭ୍ୟାସ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ସମସ୍ତ ଅତିଥି, ଯୋଗପ୍ରେମୀ ଏବଂ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଏଥିରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ପୂର୍ବରୁ ଆୟୋଜିତ ପ୍ରବନ୍ଧ ଲେଖନ ଓ ବିତର୍କ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ହସ୍ତରେ ପୁରସ୍କୃତ କରାଯାଇଥିଲା। ଏହା ଯୁବପିଢ଼ୀଙ୍କ ମଧ୍ୟରେ ଯୋଗ ଓ ସ୍ୱାସ୍ଥ୍ୟ ସଚେତନତା ପ୍ରତି ଆଗ୍ରହ ବଢ଼ାଇବାରେ ସହାୟକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ସୁସ୍ଥ ଶରୀର, ସୁସ୍ଥ ମନ ଓ ସୁସ୍ଥ ସମାଜ ଗଠନର ବାର୍ତ୍ତା ସହ ଆୟୋଜିତ ଏହି ଯୋଗ ମହୋତ୍ସବ ଢେଙ୍କାନାଳବାସୀଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିଥିବାବେଳେ, ଯୋଗକୁ ଜନଆନ୍ଦୋଳନର ରୂପ ଦେବା ଦିଗରେ ଆଉ ଏକ ସଫଳ ପଦକ୍ଷେପ ଭାବେ ପରିଗଣିତ ହୋଇଛି।












Leave a Reply