ଅକ୍ଷର ବ୍ୟୁରୋ: ରେଳ ଯାତ୍ରା ସମୟରେ ଘଟିଛି ଏକ ଅଭୁଲା ସଂଯୋଗ। ରାଜାରାଣୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ଗର୍ଭବତୀ ମହିଳା ଯାଆଁଳା ଶିଶୁକୁ ଜନ୍ମ ଦେଇଛନ୍ତି। ପ୍ରଥମ ଶିଶୁଟି କଟକ ରେଳ ଷ୍ଟେସନରେ ଟ୍ରେନ ଭିତରେ ଜନ୍ମ ନେଇଥିବା ବେଳେ, ଦ୍ୱିତୀୟ ଶିଶୁଟି ଆମ୍ବୁଲାନ୍ସରେ ହସ୍ପିଟାଲକୁ ନେବା ସମୟରେ ଜନ୍ମ ନେଇଛି।
ସୂଚନା ଅନୁସାରେ, ସକାଳ ୬ଟା ୫୩ ମିନିଟ୍ରେ ଟ୍ରେନଟି କଟକ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୩ରେ ପହଞ୍ଚିଥିଲା। ସେତେବେଳକୁ ମହିଳା ଜଣକ ପ୍ରଥମ ସନ୍ତାନକୁ ଟ୍ରେନ ଭିତରେ ଜନ୍ମ ଦେଇସାରିଥିଲେ। ପରିସ୍ଥିତି ଗୁରୁତର ଥିବାରୁ ତୁରନ୍ତ ତାଙ୍କୁ ପ୍ଲାଟଫର୍ମକୁ ଆଣାଯାଇଥିଲା। ଏହି ସମୟରେ କଟକ ରେଳବାଇ ଓ RPF କର୍ମଚାରୀମାନେ ମାଇକ୍ ଯୋଗେ ଚିକିତ୍ସକଙ୍କ ସହାୟତା ଆହ୍ୱାନ କରିଥିଲେ। ଖବର ପାଇ ଷ୍ଟେସନରେ ଉପସ୍ଥିତ ଜଣେ ଫାର୍ମାସିଷ୍ଟ ତୁରନ୍ତ ପହଞ୍ଚି ପ୍ରାଥମିକ ଚିକିତ୍ସା ଦେଇଥିଲେ। ପରେ ଜଣେ ମହିଳା RPF କର୍ମଚାରୀଙ୍କ ସହାୟତାରେ ପ୍ରସୂତିଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ପଠାଯାଇଥିଲା। ତେବେ ଟ୍ୱିନ୍ସ ଥିବାରୁ ରାସ୍ତାରେ ଦ୍ୱିତୀୟ ଶିଶୁଟି ମଧ୍ୟ ଜନ୍ମ ନେଇଥିଲା। ଏହି ଘଟଣାରେ ମହିଳା RPF କର୍ମଚାରୀ ଓ ଫାର୍ମାସିଷ୍ଟଙ୍କ ସମୟୋଚିତ ସହଯୋଗକୁ ଯାତ୍ରୀମାନେ ଏବଂ ସ୍ଥାନୀୟ ଲୋକେ ବହୁତ ପ୍ରଶଂସା କରିଛନ୍ତି।












Leave a Reply