ମୁମ୍ବାଇରେ ମୌସୁମୀ ତାଣ୍ଡବ: ୧୯୦ ମିମି ବର୍ଷା, ରେଡ୍ ଆଲର୍ଟ ଜାରି

ଅକ୍ଷର ବ୍ୟୁରୋ: ମୁମ୍ବାଇ ଓ ମହାରାଷ୍ଟ୍ରରେ ମୌସୁମୀର ପ୍ରଭାବ ତୀବ୍ର ହୋଇଛି। ଗତକାଲି ରାତିଠାରୁ ଲଗାତାର ପ୍ରବଳ ବର୍ଷାରେ ସହରର ସାଧାରଣ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପଶ୍ଚିମ ଉପନଗରରେ ପ୍ରାୟ ୧୯୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇ କ୍ଷେତ୍ରୀୟ କେନ୍ଦ୍ର ଏବଂ ପାଲଘର ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଝଡ଼ବର୍ଷା ଓ ବଜ୍ରପାତ ସମ୍ଭାବନା ନେଇ ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳକୁ ମଧ୍ୟ ସତର୍କ କରାଯାଇଛି।

ହିନ୍ଦମାତା, ମାଟୁଙ୍ଗା, କୁର୍ଲା ଏବଂ ଅନ୍ଧେରୀ ସହ ଅନେକ ତଳିଆ ଅଞ୍ଚଳ ପାଣିରେ ଡୁବିଯାଇଛି। ରାସ୍ତାରେ ପାଣି ଜମି ଯାତାୟାତ ପୂରା ଭାବେ ପ୍ରଭାବିତ ହୋଇଛି। ଟ୍ରାନ୍ସ-ହାର୍ବର ରେଳପଥରେ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। କୋପରଖୈରଣେ ଓ ତୁର୍ବେ ମଧ୍ୟରେ ଟ୍ରାକ୍ ତଳ ଭାଗ ଧସିଯିବାରୁ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି। ପ୍ରବଳ ପବନ ଓ ବର୍ଷାରେ ଭିକ୍ରୋଲି ପଶ୍ଚିମରେ ଏକ ଆବାସିକ କୋଠା ନିକଟରେ ରିଟେନିଂ ୱାଲ୍ ଭୁଶୁଡ଼ି ପଡ଼ିଛି। ତଥାପି ବଡ଼ କ୍ଷୟକ୍ଷତିର ସୂଚନା ମିଳିନାହିଁ। ବିଏମସି ଅରେଞ୍ଜ ସତର୍କତା ଜାରି କରିଛି। ପ୍ରଶାସନ ପକ୍ଷରୁ ନାଗରିକମାନଙ୍କୁ ଆବଶ୍ୟକ ନଥିଲେ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ମୁମ୍ବାଇରେ ବର୍ଷାର ପ୍ରଭାବ ଆଗାମୀ ଘଣ୍ଟାଗୁଡ଼ିକରେ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)