ଅକ୍ଷର ବ୍ୟୁରୋ: ତାମିଲନାଡୁର ତିରୁଭାଲୁର୍ ଜିଲ୍ଲା ପେରିୟାପାଲାୟାମ ଅଞ୍ଚଳର ଏକ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଫ୍ୟାକ୍ଟ୍ରିରେ ଭୟଙ୍କର ଆମୋନିଆ ଗ୍ୟାସ୍ ଲିକ୍ ଘଟଣା ସାମ୍ନାକୁ ଆସିଛି। ଏହି ଅଘଟଣରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୬୦ରୁ ଅଧିକ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ମଞ୍ଜାନକାରାନାଇ ସ୍ଥିତ ଏହି ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ୟୁନିଟରେ ହଠାତ୍ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ଲିକ୍ର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ସମୟରେ ଫ୍ୟାକ୍ଟ୍ରିରେ ଶତାଧିକ ଶ୍ରମିକ କାମରେ ନିୟୋଜିତ ଥିଲେ ଏବଂ ହଠାତ୍ ଗ୍ୟାସ୍ ସଂସ୍ପର୍ଶରେ ଆସି ଅନେକ ଶ୍ରମିକ ଅଚେତ ହୋଇପଡ଼ିଥିଲେ।
ତୁରନ୍ତ କମ୍ପାନୀ ପକ୍ଷରୁ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା, ଯେଉଁଠାରେ ୭ ଜଣଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ୪୦ରୁ ଅଧିକ ଶ୍ରମିକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଘଟଣା ପରେ ପୋଲିସ ଓ ପ୍ରଶାସନ ଟିମ୍ ଫ୍ୟାକ୍ଟ୍ରିରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି ଏବଂ ତଦନ୍ତ ଆରମ୍ଭ କରିଛନ୍ତି। ତିରୁଭାଲୁର୍ ଜିଲ୍ଲା କଲେକ୍ଟର ଏସ. କବିତା ଫ୍ୟାକ୍ଟ୍ରିର ସୁରକ୍ଷା ବ୍ୟବସ୍ଥା ଓ ସମ୍ଭାବ୍ୟ ତ୍ରୁଟି ନେଇ ଏକ ଆନୁଷ୍ଠାନିକ ତଦନ୍ତ ଆଦେଶ ଜାରି କରିଛନ୍ତି।













Leave a Reply