ଅକ୍ଷର ବ୍ୟୁରୋ: ରାଜ୍ୟରେ ପୁଣି ଦୁଇଟି ପୃଥକ୍ ସଡ଼କ ଦୁର୍ଘଟଣା ଦୁଇଟି ପରିବାରରୁ ଖୁସି ଛଡ଼ାଇ ନେଇଛି। ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଥିବା ଏହି ଦୁଇ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳ ଅନ୍ତର୍ଗତ ଗୁଣ୍ଠପୋଡ଼ା ନିକଟରେ ରବିବାର ସକାଳେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ରାସ୍ତା ପାର ହେଉଥିବା ଜଣେ ଭିନ୍ନକ୍ଷମ ବୃଦ୍ଧଙ୍କୁ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବୃଦ୍ଧ ଜଣକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଦୁର୍ଘଟଣାଗ୍ରସ୍ତ ବସ୍କୁ ଜବତ କରାଯାଇଥିବାବେଳେ ଚାଳକଙ୍କ ଭୂମିକା ଓ ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରହିଛି।
ସେପଟେ ସୁବର୍ଣ୍ଣପୁର ଜିଲ୍ଲାର ଜାମଛାପର ଛକରେ ଆଉ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଓ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ପିକ୍ଅପ୍ ଭ୍ୟାନ୍ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଦୁର୍ଘଟଣାରେ ପିକ୍ଅପ୍ ଭ୍ୟାନ୍ର ଚାଳକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତାରେ ଯାତାୟାତ ବ୍ୟାହତ ହୋଇଥିଲା। ପରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହ ଟ୍ରାଫିକ ସ୍ୱାଭାବିକ କରିଥିଲା। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।












Leave a Reply