ଅକ୍ଷର ବ୍ୟୁରୋ: କେଉଁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ହାଇୱା ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣା ପରେ ଗାଡ଼ିଟି ଫେରାର ହୋଇଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ୨୦ ନମ୍ବର ଜାତୀୟ ରାଜପଥର ମୁରୁସୁଆଁ ଆଶ୍ରମ ସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ରିମୁଳି ପଟୁ ଝୁମ୍ପୁରା ଅଭିମୁଖେ ଆସୁଥିବା ଏକ ବାଇକକୁ ସେହି ଦିଗରୁ ଆସୁଥିବା ଏକ ହାଇୱା ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ମୃତକ ଜଣକ ହେଲେ ଚମ୍ପୁଆ ବ୍ଲକ କରଞ୍ଜିଆ ଗ୍ରାମର ଶୁଭମ ମହନ୍ତ। ସେ ନିଜ ଗାଁରୁ ଝୁମ୍ପୁରା ଯାଉଥିବା ବେଳେ ଏହି ଅଭାବନୀୟ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ପରେ ହାଇୱା ଚାଳକ ଘଟଣାସ୍ଥଳରୁ ଗାଡ଼ି ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ଝୁମ୍ପୁରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଫେରାର ହାଇୱା ଓ ଚାଳକଙ୍କୁ ଠାବ କରିବା ପାଇଁ ତଦନ୍ତ ଜାରି ରଖିଛି।












Leave a Reply