ଭାରସାମ୍ୟ ହରାଇ ଘର ନିକଟରେ ଓଲଟି ପଡ଼ିଲା ଜେସିବି; ଅଳ୍ପକେ ବର୍ତ୍ତିଗଲା ପରିବାର

ଅକ୍ଷର ବ୍ୟୁରୋ: ଅଳ୍ପକେ ଟଳିଗଲା ଏକ ବଡ଼ ଅଘଟଣ। ଜମ୍ବୁ ମୁଖ୍ୟ ରାସ୍ତାର ଅରୁଣନଗର ଛକ ନିକଟରେ ଏକ ଜେସିବି ମେସିନ୍ ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଜେସିବିଟି ସିଧାସଳଖ ସିଂପଡ଼ା ଗ୍ରାମର ଗଣେଶ ସିଂଙ୍କ ଘର ନିକଟରେ ଯାଇ ପଡ଼ିବାରୁ ଘର ପାଖରେ ଥିବା ଶୌଚାଳୟ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଛି। ଦୁର୍ଘଟଣା ସମୟରେ ଗଣେଶ ସିଂଙ୍କ ପରିବାର ସଦସ୍ୟମାନେ ଘର ଭିତରେ ଶୋଇଥିଲେ। ହଠାତ୍ ପ୍ରଚଣ୍ଡ ଶବ୍ଦ ଶୁଣି ସେମାନେ ଭୟଭୀତ ହୋଇ ବାହାରକୁ ଦୌଡ଼ି ଆସିଥିଲେ। ତେବେ ଭାଗ୍ୟବଶତଃ ଜେସିବିଟି ଘର ଉପରେ ନ ପଡ଼ିବାରୁ ଏକ ବଡ଼ ଧରଣର ଜୀବନହାନି ଟଳିଯାଇଛି।

ଦୁର୍ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ। ଜେସିବିଟି କିପରି ଭାରସାମ୍ୟ ହରାଇଲା ଏବଂ ଦୁର୍ଘଟଣାର ପ୍ରକୃତ କାରଣ କଣ, ତାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ରାସ୍ତା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବିଶେଷକରି ଭାରୀ ଯାନବାହନ ଚଳାଚଳ ଉପରେ କଡ଼ା ନଜରଦାରି, ଗତି ନିୟନ୍ତ୍ରଣ ଏବଂ ରାସ୍ତା କଡ଼ରେ ଥିବା ବସତି ଅଞ୍ଚଳର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)