ଅକ୍ଷର ବ୍ୟୁରୋ: ଆଜି ଅନୁଷ୍ଠିତ ହେବ ଦେଶର ସର୍ବବୃହତ୍ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି (NEET-UG) ପୁନଃ ପରୀକ୍ଷା। ଦେଶର ୫୫୧ଟି ସହର ଏବଂ ବିଦେଶର ୧୪ଟି କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜିତ ହେଉଥିବା ବେଳେ ପ୍ରାୟ ୨୨ ଲକ୍ଷ ୮୦ ହଜାର ପରୀକ୍ଷାର୍ଥୀ ଏଥିରେ ସାମିଲ ହେବେ। ପରୀକ୍ଷାକୁ ସ୍ୱଚ୍ଛ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ନୂଆ ନିୟମ ଲାଗୁ କରାଯାଇଛି। ଓଡ଼ିଶାରେ ୧୩୨ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫୬ ହଜାର ୯୮୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେଥିମଧ୍ୟରୁ ଭୁବନେଶ୍ୱରରେ ସର୍ବାଧିକ ୨୬ଟି କେନ୍ଦ୍ରରେ ୧୨ ହଜାର ୭୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଯାଉଛନ୍ତି। ପରୀକ୍ଷା ସମୟ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ୧୫ ମିନିଟ୍ ପର୍ଯ୍ୟନ୍ତ ରହିଛି। ତେବେ ପରୀକ୍ଷାର୍ଥୀମାନଙ୍କୁ ସକାଳ ୧୧ଟାରୁ ଦିନ ୧ଟା ୩୦ ମିନିଟ୍ ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଠିକ୍ ଦିନ ୧ଟା ୩୦ ମିନିଟ୍ରେ କେନ୍ଦ୍ରର ପ୍ରବେଶ ଗେଟ୍ ବନ୍ଦ କରାଯିବ ଏବଂ ଏହାପରେ କୌଣସି ପରୀକ୍ଷାର୍ଥୀଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ।
ଏଥର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାୟୋମେଟ୍ରିକ୍ ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ସମସ୍ତ କେନ୍ଦ୍ର ସିସିଟିଭି ନଜରଦାରୀ ଅଧୀନରେ ରହିବ। ପରୀକ୍ଷାର ସ୍ୱଚ୍ଛତା ନିଶ୍ଚିତ କରିବାକୁ ଜାତୀୟ ପରୀକ୍ଷା ଏଜେନ୍ସି (NTA) ପକ୍ଷରୁ ଦେଶବ୍ୟାପୀ ୨ ଲକ୍ଷରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପରୀକ୍ଷାର୍ଥୀମାନଙ୍କ ପାଇଁ ଡ୍ରେସ୍ କୋଡ୍ ମଧ୍ୟ ଜାରି କରାଯାଇଛି। ହାଲୁକା ଏବଂ ସାଧାରଣ ପୋଷାକ ପିନ୍ଧିବାକୁ କୁହାଯାଇଥିବା ବେଳେ ବଡ଼ ବୋତାମ, ଧାତୁ ବ୍ୟବହୃତ ସାମଗ୍ରୀ, ଭାରୀ ଏମ୍ବ୍ରୋଇଡେରୀ, ଜ୍ୟାକେଟ୍, ହୁଡି ଓ ବନ୍ଦ ଜୋତା ପିନ୍ଧିବାକୁ ବାରଣ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ନୂତନ ଆଡମିଟ୍ କାର୍ଡ, ବୈଧ ଫଟୋ ପରିଚୟପତ୍ର ଏବଂ ଆଟେଣ୍ଡାନ୍ସ ସିଟ୍ ପାଇଁ ପାସପୋର୍ଟ ସାଇଜ୍ ଫଟୋ ଆଣିବା ବାଧ୍ୟତାମୂଳକ ରହିଛି।
ଅନ୍ୟପଟେ, ମୋବାଇଲ ଫୋନ୍, ସ୍ମାର୍ଟ ୱାଚ୍, ଇୟରଫୋନ୍ ସମେତ କୌଣସି ଇଲେକ୍ଟ୍ରୋନିକ୍ ଉପକରଣ, କାଲକୁଲେଟର, ୱାଲେଟ୍, ଅଳଙ୍କାର କିମ୍ବା ଖାଦ୍ୟ ସାମଗ୍ରୀ ପରୀକ୍ଷା ହଲ୍କୁ ନେବା ଉପରେ କଡ଼ା ପ୍ରତିବନ୍ଧକ ଲାଗୁ କରାଯାଇଛି। କେବଳ ଏକ ସ୍ୱଚ୍ଛ ପାଣି ବୋତଲ ନେବାକୁ ଅନୁମତି ମିଳିବ। ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ପକ୍ଷରୁ ସ୍ୱତନ୍ତ୍ର ମାଗଣା ପରିବହନ ବ୍ୟବସ୍ଥା କରାଯାଇଛି। ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ବସ୍ ସେବା ଯୋଗାଇ ଦିଆଯାଇଥିବାରୁ ପରୀକ୍ଷାର୍ଥୀମାନେ ସହଜରେ କେନ୍ଦ୍ରରେ ପହଞ୍ଚିପାରିବେ।















Leave a Reply