ଆମେରିକା ଆକ୍ରମଣରେ ତିନି ଜଣ ଭାରତୀୟଙ୍କ ମୃତ୍ୟୁ ପରେ

ରୁବିଓଙ୍କୁ ଫୋନ୍ କରି ଜୟଶଙ୍କର କହିଲେ ଏହା ଠିକ୍ ନୁହେଁ

ଓମାନ ଉପକୂଳରେ ଏକ ତୈଳ ଟ୍ୟାଙ୍କର ଏମଟି ସେଟେବେଲୋକୁ ଟାର୍ଗେଟ କରିଥିଲା ଆମେରିକା ନୌସେନା । ଏହି ପାଲାଉର ପତାକାଥିବା ବାଣିଜ୍ୟ ଜାହାଜରେ ଥିଲେ ୨୪ ଜଣ ଭାରତୀୟ କ୍ରୁ ସଦସ୍ୟ । ଆମେରିକା ଆକ୍ରମଣ ଯୋଗୁଁ ଜାହାଜରେ ସୃଷ୍ଟି ହୋଇଥିଲା ଆତଙ୍କ ।

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କୁ ଫୋନ୍ କରି କଡ଼ା ପ୍ରତିବାଦ ପ୍ରକାଶ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର

ନୂଆଦିଲ୍ଲୀ: ଓମାନ ଉପକୂଳରେ ହୋଇଥିବା ଆକ୍ରମଣରେ ତିନି ଜଣ ଭାରତୀୟଙ୍କ ମୃତ୍ୟୁ ପରେ, ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କୁ ଫୋନ୍ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଏହି ଫୋନ୍ କଲ୍‌ରେ କଡ଼ା ପ୍ରତିବାଦ ପ୍ରକାଶ କରିଛନ୍ତି ଜୟଶଙ୍କର । ଏସମ୍ପର୍କରେ ସୂଚନା ପ୍ରଦାନ କରି ଜୟଶଙ୍କର ସୋସି୍ଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ମୁଁ କଥା ହୋଇଛି। ମୁଁ ଉପସାଗରରେ ଆମେରିକାର ନୌସେନା ଆକ୍ରମଣ ବିରୋଧରେ ଭାରତର କଡ଼ା ପ୍ରତିବାଦକୁ ଦୋହରାଇଛି, ଯେଉଁଥିରେ ତିନି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିଲା। ବାଣିଜ୍ୟିକ ଜାହାଜ ଚଳାଚଳ ଉପରେ ଏପରି ଘାତକ କାର୍ଯ୍ୟାନୁଷ୍ଠାନ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ।

ତିନି ଜଣ ଥିଲେ ଭାରତୀୟ ମର୍ଚ୍ଚାଣ୍ଟ ନେଭିର ପୁରୁଷ ଅଧିକାରୀ

ସୂଚନାଯୋଗ୍ୟ, ଓମାନ ଉପକୂଳରେ ଏକ ତୈଳ ଟ୍ୟାଙ୍କର ଏମଟି ସେଟେବେଲୋକୁ ଟାର୍ଗେଟ କରିଥିଲା ଆମେରିକା ନୌସେନା । ଏହି ପାଲାଉର ପତାକାଥିବା ବାଣିଜ୍ୟ ଜାହାଜରେ ୨୪ ଜଣ ଭାରତୀୟ କ୍ରୁ ସଦସ୍ୟ ଥିଲେ। ଆମେରିକା ଆକ୍ରମଣ ଯୋଗୁଁ ଜାହାଜରେ ସୃଷ୍ଟି ହୋଇଥିଲା ଆତଙ୍କ । ଉଦ୍ଧାର କାର୍ଯ୍ୟ ମାଧ୍ୟମରେ ୨୧ ଜଣ ଭରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲେ ମଧ୍ୟ, ତିନି ଜଣ ନାବିକ ନିଖୋଜ ଥିଲେ। ସେହି ତିନି ଜଣ ନିଖୋଜ ଭାରତୀୟଙ୍କ ମୃତ୍ୟୁ ଏବେ ଆନୁଷ୍ଠାନିକ ଭାବରେ ନିଶ୍ଚିତ ହୋଇଛି।

ଆମେରିକା ଆକ୍ରମଣରେ ପ୍ରାଣ ହରାଇଥିବା ତିନି ଜଣ ଭାରତୀୟ ମର୍ଚ୍ଚାଣ୍ଟ ନେଭିର ପୁରୁଷ ଅଧିକାରୀ ଥିଲେ। ସେମାନଙ୍କୁ ଡେକ୍ କ୍ୟାଡେଟ୍ ଆଦିତ୍ୟ ଶର୍ମା, ଇଞ୍ଜିନ୍ ଫିଟର ଶିବାନନ୍ଦ ଚୌରାସିଆ ଏବଂ ଚିଫ୍ ଇଞ୍ଜିନିୟର ପାଟନାଲା ସୁରେଶ ଭାବରେ ଚିହ୍ନଟ କରାଯାଇଛି।

ଏହି ଦୁଃଖଦ ଘଟଣା ପରେ, ଭାରତ ୱାସିଂଟନରୁ ଆରମ୍ଭ କରି ନୂଆଦିଲ୍ଲୀ ପର୍ଯ୍ୟନ୍ତ କ୍ଷୋଭ ପ୍ରକାଶ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତୁରନ୍ତ ନୂଆଦିଲ୍ଲୀରେ ଥିବା ଆମେରିକାର ଚାର୍ଜ ଡି ଆଫେୟର୍ସ (କାର୍ଯ୍ୟକାରୀ ରାଷ୍ଟ୍ରଦୂତ)ଙ୍କୁ ଡକାଇ ଆକ୍ରମଣ ପାଇଁ ସିଧାସଳଖ ସ୍ପଷ୍ଟୀକରଣ ମାଗିଛି। ଆମେରିକାର ସେନା କିପରି ଏକ ବାଣିଜ୍ୟ ଜାହାଜ ଉପରେ ଗୁଳି ଚଳାଇ ଆକ୍ରମଣ କଲା ସେ ବିଷୟରେ ଭାରତ ଗଭୀର ଚିନ୍ତା ଏବଂ ଅସନ୍ତୋଷ ପ୍ରକାଶ କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଭାରତର ସ୍ଥିତିକୁ ଆହୁରି ସ୍ପଷ୍ଟ କରି କହିଛନ୍ତି ଯେ ଭାରତୀୟ କ୍ରୁ ସଦସ୍ୟମାନଙ୍କୁ ନେଇ ଯାଉଥିବା ବାଣିଜ୍ୟ ଜାହାଜ ଉପରେ ଆମେରିକା ନୌସେନାର ଏପରି ଆକ୍ରମଣ ତୁରନ୍ତ ବନ୍ଦ ହେବା ଉଚିତ୍। ଭାରତ ବିଶ୍ୱ ମଞ୍ଚକୁ ବନ୍ଧୁକର ଭାଷା ବନ୍ଦ କରିବାକୁ ଏବଂ ଉପସାଗରୀୟ କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ଆଲୋଚନା ଏବଂ କୂଟନୀତିର ଆଶ୍ରୟ ନେବାକୁ ଆହ୍ୱାନ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)