ଅକ୍ଷର ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ଆଜି ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛି। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଏକାସାଙ୍ଗରେ ମୟୂରଭଞ୍ଜ ମାଟିରେ ପାଦ ଦେବେ। ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ତାଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଜନ୍ମଭୂମି ପାହାଡ଼ପୁରକୁ ଆସୁଛନ୍ତି। ଏହାକୁ ନେଇ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ଗାଁକୁ ସଜାଇବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ଗସ୍ତକୁ ମୟୂରଭଞ୍ଜ ଇତିହାସର ଏକ ସ୍ମରଣୀୟ ଅଧ୍ୟାୟ ଭାବେ ଦେଖାଯାଉଛି।
କାର୍ଯ୍ୟକ୍ରମ ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମବଙ୍ଗର କଲାଇକୁଣ୍ଡା ଏୟାରବେସ୍ରୁ ବାୟୁସେନାର MI-17 ହେଲିକପ୍ଟର ଯୋଗେ ଅପରାହ୍ଣ ୨ଟା ୪୫ରେ ମୟୂରଭଞ୍ଜ ଅଭିମୁଖେ ଯାତ୍ରା କରିବେ। ଅପରାହ୍ଣ ୩ଟା ୧୫ରେ ଦାଣ୍ଡବୋଷ ଏୟାରପୋର୍ଟରେ ପହଞ୍ଚିବା ପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସନ୍ଧ୍ୟାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ AIIMS ପରିଚାଳିତ ମେଗା ସ୍ୱାସ୍ଥ୍ୟ ଶିବିରର ଉଦ୍ଘାଟନ କରିବେ। ପରେ ସେ ସଡ଼କ ପଥରେ ରାଇରଙ୍ଗପୁରସ୍ଥିତ ନିଜ ବାସଭବନକୁ ଯାଇ ରାତ୍ରିଯାପନ କରିବେ।
ପାହାଡ଼ପୁରରେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ମିଳନ
ଶନିବାର ସକାଳ ୧୦ଟା ୨୦ରେ ରାଷ୍ଟ୍ରପତି ଦାଣ୍ଡବୋଷ ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ଦିଘିବେଡ଼ା ହେଲିପ୍ୟାଡ୍ରେ ପହଞ୍ଚିବେ ଏବଂ ସେଠାରୁ ସଡ଼କ ପଥରେ ପାହାଡ଼ପୁର ଗ୍ରାମକୁ ଯିବେ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୧୧ଟା ୧୫ରେ ରାଷ୍ଟ୍ରପତିଙ୍କୁ ଭେଟିବେ। ଉଭୟ ନେତା ରାଷ୍ଟ୍ରପତିଙ୍କ ଗାଁର ଆଦିବାସୀଙ୍କ ସାମାଜିକ ଓ ଧାର୍ମିକ ଆସ୍ଥାର କେନ୍ଦ୍ର ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କରିବେ। ଏହାପରେ ଏକ ଆବାସିକ ବିଦ୍ୟାଳୟ ଓ ସ୍କିଲ୍ ଡେଭେଲପମେଣ୍ଟ ସେଣ୍ଟର ପରିଦର୍ଶନ କରି ଶିକ୍ଷା ଓ କୌଶଳ ବିକାଶ କ୍ଷେତ୍ରରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ।
ମଧ୍ୟାହ୍ନ ୧ଟାରେ ଦାଣ୍ଡବୋଷରେ ଆୟୋଜିତ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ସମାରୋହରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। ବିକାଶର ଧାରା, ଓଡ଼ିଶା ସାରା ଶୀର୍ଷକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ସହ ରାଷ୍ଟ୍ରପତି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହି ଅବସରରେ ବିଭିନ୍ନ ରେଳ ପ୍ରକଳ୍ପର ଉଦ୍ଘାଟନ ସହ ଭାରତ କୋଲ୍ ଗ୍ୟାସିଫିକେସନ ଆଣ୍ଡ୍ କେମିକାଲ ଲିମିଟେଡ୍ (ବିସିଜିସିଏଲ୍) ର ନୂତନ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ପରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବେ।











Leave a Reply