ଅକ୍ଷର ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ବଜ୍ରପାତ ଏକ ଗରିବ ପରିବାରର ଜୀବିକା ଉପରେ ଚଡ଼କ ପକାଇଛି। ଆଜି ସକାଳେ ଘଡଘଡି ସହ ପ୍ରବଳ ବର୍ଷା ସମୟରେ ବଜ୍ରପାତ ଘଟିବାରୁ ଲାଞ୍ଜୁରା ପଞ୍ଚାୟତର କୂଳଲାଞ୍ଜୁରା ଗ୍ରାମର ଜଣେ ବ୍ୟକ୍ତିଙ୍କର ଦୁଇଟି ମଇଁଷିର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ପୀଡ଼ିତ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।
ସୂଚନା ଅନୁଯାୟୀ, କୂଳଲାଞ୍ଜୁରା ଗ୍ରାମର କୈଳାସ ଦାସ ଗତକାଲି ରାତିରେ ସବୁଦିନ ଭଳି ନିଜର ମଇଁଷି ପଲଙ୍କୁ ଗ୍ରାମ ନିକଟସ୍ଥ ଚାଷ ଜମି ମଧ୍ୟରେ ଥିବା ଗୋଠରେ ବାନ୍ଧି ରଖିଥିଲେ। ତେବେ ଆଜି ସକାଳୁ ହଠାତ୍ ଘଡଘଡି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ସମୟରେ ହୋଇଥିବା ବଜ୍ରପାତ ସିଧାସଳଖ ଭାବେ ମଇଁଷିଙ୍କ ଉପରେ ପଡ଼ିଥିବାରୁ ଦୁଇଟି ମଇଁଷି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ସେତେବେଳେ ମଇଁଷିଗୁଡ଼ିକ ବନ୍ଧା ଅବସ୍ଥାରେ ଥିବା ଜଣାପଡ଼ିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କୈଳାସ ଦାସ ଜଣେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତି। ମଇଁଷି ପାଳନ ହିଁ ତାଙ୍କ ପରିବାରର ମୁଖ୍ୟ ରୋଜଗାରର ଉତ୍ସ ଥିଲା। ଦୁଇଟି ମଇଁଷିର ମୃତ୍ୟୁ ତାଙ୍କ ପରିବାରକୁ ଭାରି ଆର୍ଥିକ କ୍ଷତି ପହଞ୍ଚାଇଛି। ଘଟଣା ପରେ ସ୍ଥାନୀୟ ଲୋକ ଓ ଗ୍ରାମବାସୀମାନେ ପୀଡ଼ିତ କୈଳାସ ଦାସଙ୍କୁ ତୁରନ୍ତ ସରକାରୀ କ୍ଷତିପୂରଣ ଏବଂ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରି ଯଥାଶୀଘ୍ର ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ବୋଲି ଦାବି ଉଠିଛି।












Leave a Reply