ଅକ୍ଷର ବ୍ୟୁରୋ: ଜୟପୁରର ଖୋ-ନାଗୋରିଆନ୍ ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି | ଏବଂ ଅନେକ ଆହତ ହୋଇଥିବା ବେଳେ ଆହୁରି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।
ସୂଚନାନୁଯାୟୀ, ପ୍ରଥମେ କାରଖାନାରୁ ଧୂଆଁ ଉଠିଥିଲା ଏବଂ କିଛି ସମୟ ପରେ ଜୋରରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ, ଆଖପାଖର ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ଖବର ପାଇ ତୁରନ୍ତ ପୋଲିସ, ପ୍ରଶାସନ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜୟପୁର କଲେକ୍ଟର ସନ୍ଦେଶ ନାୟକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଆଁ ଲିଭାଇବା ପାଇଁ ଅନେକ ଦମକଳ ଗାଡ଼ି ନିୟୋଜିତ କରାଯାଇଥିଲା। ବହୁତ ଚେଷ୍ଟା ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିଥିଲା ବେଳେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ଏଥି ସହିତ ସୁରକ୍ଷା ଦୃଷ୍ଟିରୁ, ଲୋକମାନଙ୍କୁ ଘଟଣାସ୍ଥଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି ।
ଅନ୍ୟପଟେ ଘଟଣାସ୍ଥଳରେ ବ୍ୟାପକ ପୋଲିସଙ୍କୁ ମୁତୟନ କରାଯାଇଛି ଏବଂ ପ୍ରଶାସନ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନଥିବା ବେଳେ କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା କାରଖାନା ମଧ୍ୟରେ ବିସ୍ଫୋରକ ଜିନିଷ ଅଗ୍ନିକାଣ୍ଡର କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି ।












Leave a Reply