ଲଗାଣ ବର୍ଷାରେ ଭିଜିଲା ଟ୍ୱିନ୍ ସିଟି, ୨୩ରୁ ଅଧିକ ସକ୍ରିୟ ହେବ ମୌସୁମୀ

ଅକ୍ଷର ବ୍ୟୁରୋ: ଓଡ଼ିଶାରେ ମୌସୁମୀର ପ୍ରଭାବ ଆହୁରି ଜୋରଦାର ହେଉଛି। ସୋମବାର ସକାଳୁ ସକାଳୁ ଲଗାଣ ବର୍ଷାରେ ଭିଜିଛି ଟ୍ବିନ୍ ସିଟି ଭୁବନେଶ୍ୱର ଓ କଟକ। ଏହା ମଧ୍ୟରେ ପାଣିପାଗ ବିଭାଗ ସୂଚନା ଦେଇଛି ଯେ, ୨୩ ଜୁନରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବ ଏବଂ ରାଜ୍ୟର ଆଉ କିଛି ଅଞ୍ଚଳକୁ ଅଗ୍ରସର ହେବ। ବର୍ତ୍ତମାନ ମୌସୁମୀ ଓଡ଼ିଶାରେ ପହଞ୍ଚି ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମଗ୍ର ରାଜ୍ୟକୁ ଆବୃତ କରିନାହିଁ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ପାଗ ମୌସୁମୀ ଅଗ୍ରସର ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଆସନ୍ତାକାଲି ମଧ୍ୟରେ ମହାରାଷ୍ଟ୍ର, ତେଲେଙ୍ଗାନା, ଓଡ଼ିଶା, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ର ଆଉ କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଏହାସହ ଆସନ୍ତା ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିବା ନେଇ ପୂର୍ବାନୁମାନ କରାଯାଇଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମଧ୍ୟ ଦେଖାଦେଇପାରେ। ସେଥିପାଇଁ ଆଜି ୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୨୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଲଗାଣ ବର୍ଷା ଯୋଗୁଁ ଚାଷୀମାନଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଥିବାବେଳେ ସହରାଞ୍ଚଳରେ ଯାତାୟାତ ଓ ଦୈନନ୍ଦିନ ଜୀବନ ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ରହିଛି। ମୌସୁମୀର ଏହି ସକ୍ରିୟତା ରାଜ୍ୟରେ ବର୍ଷା ଅଭାବ ଦୂର କରିବା ସହ ଖରିଫ ଚାଷ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)