ଦିନକ ପରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା: ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଅକ୍ଷର ବ୍ୟୁରୋ: ଆଉ ମାତ୍ର ଦିନକ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏହି ମହାନ ଧାର୍ମିକ ଅବସରକୁ ନେଇ ଶ୍ରୀକ୍ଷେତ୍ର ପୁରୀରେ ଚଳଚଞ୍ଚଳତା ବଢ଼ିଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ, ପୁଲିସ ଓ ବିଭିନ୍ନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦେବସ୍ନାନ ପୂର୍ଣ୍ଣିମା ଦିନ ଶ୍ରଦ୍ଧାଳୁମାନେ କେବଳ ଶ୍ରୀମନ୍ଦିରର ସିଂହଦ୍ୱାର ଦେଇ ପ୍ରବେଶ କରିବେ। ସ୍ନାନମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପରେ ଭକ୍ତମାନେ ଶ୍ରୀମନ୍ଦିରର ଅନ୍ୟ ତିନୋଟି ଦ୍ୱାର ଦେଇ ବାହାରିବାକୁ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ସୁବିଧା ପାଇଁ ମାର୍କେଟ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ହୋଇଥିବା ବ୍ୟାରିକେଡ଼ର କିଛି ଅଂଶ ଖୋଲା ରଖାଯିବ। ଫଳରେ ବଡ଼ଦାଣ୍ଡରେ ଥିବା ଶ୍ରଦ୍ଧାଳୁମାନେ ମଧ୍ୟ ସ୍ନାନମଣ୍ଡପରେ ବିରାଜମାନ ଶ୍ରୀବିଗ୍ରହଙ୍କ ଦର୍ଶନ କରିପାରିବେ। ଦେବସ୍ନାନ ପରେ ମହାପ୍ରଭୁଙ୍କ ଆକର୍ଷଣୀୟ ହାତୀ ବେଶ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଅପାର ଉତ୍ସାହ ଥାଏ। ଏହାକୁ ଦୃଷ୍ଟିରେ ରଖି ହାତୀ ବେଶକୁ ଅଧିକରୁ ଅଧିକ ଭକ୍ତ କିପରି ସୁବିଧାରେ ଦେଖିପାରିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଉପରେ ଜୋର ଦିଆଯାଉଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢ଼ୀ ବରିଷ୍ଠ ଅଧିକାରୀମାନଙ୍କ ସହ ଦେବସ୍ନାନ ପୂର୍ଣ୍ଣିମା ପାଇଁ କରାଯାଇଥିବା ସମସ୍ତ ବ୍ୟବସ୍ଥାର ଟିକିନିଖି ସମୀକ୍ଷା କରିଛନ୍ତି। ସ୍ନାନଯାତ୍ରା ଏବଂ ଆଗାମୀ ରଥଯାତ୍ରାର ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପାଦନ ପାଇଁ ସେବାୟତମାନଙ୍କ ସହଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଭକ୍ତଙ୍କ ସୁରକ୍ଷା, ସୁବିଧା ଓ ଶୃଙ୍ଖଳିତ ଦର୍ଶନକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି ଏବଂ ସମସ୍ତ ସେବାୟତ ଏହି ମହାପର୍ବକୁ ସଫଳ କରିବା ପାଇଁ ସହଯୋଗ କରିବେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)