ଅକ୍ଷର ବ୍ୟୁରୋ: ରାଜ୍ୟର ନୂତନ ପାଠ୍ୟପୁସ୍ତକରେ ଦେଖାଦେଇଥିବା ବ୍ୟାପକ ତ୍ରୁଟି ପଛରେ ଏସ୍ସିଇଆରଟି (SCERT) ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଆଭ୍ୟନ୍ତରୀଣ ବିବାଦ ଓ ଗୋଷ୍ଠୀକନ୍ଦଳ ମୁଖ୍ୟ କାରଣ ବୋଲି ଚର୍ଚ୍ଚା ଜୋର ଧରିଛି। ପ୍ରାୟ ୧୮ ମାସ ଧରି ଚାଲିଥିବା ଏହି ଅନ୍ତର୍ଦ୍ୱନ୍ଦ୍ୱର ପରିଣାମ ସ୍ୱରୂପ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ହାତରେ ପହଞ୍ଚିଥିବା ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି ଦେଖାଦେଇଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ପରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇ ପୂର୍ବତନ ଏସ୍ସିଇଆରଟି ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ନିଲମ୍ବିତ କରିଛନ୍ତି। ତାଙ୍କ ସହ ଆଉ ୩ ଜଣଙ୍କୁ ମଧ୍ୟ ସସ୍ପେଣ୍ଡ କରାଯାଇଥିବା ବେଳେ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ସୂଚନା ଅନୁସାରେ, ୨୦୨୪ ନଭେମ୍ବରରେ ମନୋଜ ପାଢ଼ୀ ଏସ୍ସିଇଆରଟି ନିର୍ଦ୍ଦେଶକ ଭାବେ ଯୋଗଦେବା ପରେ ସଂସ୍ଥାର ସହକାରୀ ନିର୍ଦ୍ଦେଶକମାନଙ୍କ ସହ ତାଙ୍କର ମତଭେଦ ଓ ବିବାଦ ଆରମ୍ଭ ହୋଇଥିଲା। କର୍ମଚାରୀଙ୍କ ପ୍ରତି ଦୁର୍ବ୍ୟବହାର, ଅପମାନଜନକ ଭାଷା ପ୍ରୟୋଗ ଏବଂ ସରକାରୀ ନିୟମ ଉଲ୍ଲଂଘନ କରି ରାତି ୮ଟା ପର୍ଯ୍ୟନ୍ତ କାର୍ଯ୍ୟ କରାଇବା ଭଳି ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା।
ଏନେଇ ସହକାରୀ ନିର୍ଦ୍ଦେଶକମାନେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ପୂର୍ବରୁ ଆସିଥିବା ଏକ ଅଭିଯୋଗ ଆଧାରରେ ସରକାର ମନୋଜ ପାଢ଼ୀଙ୍କୁ ବଦଳି କରି ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦାୟିତ୍ୱ ଦେଇଥିଲେ। କିନ୍ତୁ ମାତ୍ର ୨୬ ଦିନ ପରେ ସରକାର ନିଷ୍ପତ୍ତି ପରିବର୍ତ୍ତନ କରି ପୁଣିଥରେ ମନୋଜ ପାଢ଼ୀଙ୍କୁ ସେହି ପଦବୀରେ ଥଇଥାନ କରିଥିଲେ। ୨୦୨୫ ଏପ୍ରିଲରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବା ବେଳକୁ ଏସ୍ସିଇଆରଟିର ଅଧିକାରୀମାନେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିଲେ। ଗୋଟିଏ ଗୋଷ୍ଠୀ ମନୋଜ ପାଢ଼ୀଙ୍କ ସମର୍ଥନରେ ଥିବା ବେଳେ ଅନ୍ୟ ଗୋଷ୍ଠୀ ତାଙ୍କ ବିରୋଧରେ ଥିଲେ।
ଅଭିଯୋଗ ଅନୁଯାୟୀ, ବିରୋଧୀ ଗୋଷ୍ଠୀ କାର୍ଯ୍ୟରେ ସହଯୋଗ କରିନଥିବା ବେଳେ ସମର୍ଥକ ଗୋଷ୍ଠୀର ଅଧିକାରୀମାନେ ମଧ୍ୟ ନିଜ ଦାୟିତ୍ୱ ସଠିକ୍ ଭାବେ ପାଳନ କରିନଥିଲେ। ଡିଟିପି (DTP) ପ୍ରସ୍ତୁତି ସମୟରେ ବହିର ଯାଞ୍ଚ, ସମୀକ୍ଷକ ମଣ୍ଡଳୀର ତଦାରଖ, ବିଭିନ୍ନ କମିଟି ମଧ୍ୟରେ ସମନ୍ୱୟ ରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କାମରେ ଅବହେଳା ହୋଇଥିବା ଅଭିଯୋଗ ଆସିଛି। ଏପରିକି ପାଠ୍ୟପୁସ୍ତକରେ ତ୍ରୁଟି ଥିବା ଜାଣିବା ପରେ ମଧ୍ୟ ତାହାକୁ ଗୁରୁତ୍ୱ ନଦେଇ ଏଡ଼ାଇ ଦିଆଯାଇଥିବା କୁହାଯାଉଛି। ତଦନ୍ତ ରିପୋର୍ଟ ଆଧାରରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପାଠ୍ୟପୁସ୍ତକ ବିବାଦରେ ଦାୟୀ ଅଧିକାରୀମାନଙ୍କ ବିରୋଧରେ ଆଗାମୀ ଦିନରେ ଆହୁରି କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।













Leave a Reply