ଅକ୍ଷର ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ଶ୍ରୀକ୍ଷେତ୍ରରେ ଚୂଡ଼ାନ୍ତ ପ୍ରସ୍ତୁତି ଚାଲିଛି। ଆସନ୍ତାକାଲି ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଆଜି ରାତି ସାଢ଼େ ୧୦ଟାରୁ ଆସନ୍ତାକାଲି ଦିନ ୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସ୍ନାନପୂର୍ଣ୍ଣିମାର ବିଶେଷ ନୀତିକାନ୍ତି ନିର୍ବିଘ୍ନ ଭାବେ ସମ୍ପାଦନ ପାଇଁ ଏହି କଟକଣା ଲାଗୁ କରାଯାଇଛି। ସ୍ନାନଯାତ୍ରାକୁ ନେଇ ଶ୍ରୀମନ୍ଦିର ପରିସର, ସ୍ନାନମଣ୍ଡପ ଏବଂ ରୁଟ୍ ଲାଇନ୍ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭକ୍ତମାନଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯିବା ସହ ନଜରଦାରୀ ବଢ଼ାଯାଇଛି।
ସ୍ନାନପୂର୍ଣ୍ଣିମା ଅବସରରେ ପୁରୀରେ ବ୍ୟାପକ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ବିଶେଷ ଟ୍ରାଫିକ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଫାଷ୍ଟ କମ୍, ଫାଷ୍ଟ ସର୍ଭ ନୀତି ଅନୁଯାୟୀ ପାର୍କିଂ ସୁବିଧା ଦିଆଯିବ। ଅର୍ଥାତ୍, ପ୍ରଥମେ ଆସୁଥିବା ଯାନକୁ ପ୍ରଥମେ ପାର୍କିଂ ସୁବିଧା ମିଳିବ। ଭୁବନେଶ୍ୱର, ବ୍ରହ୍ମଗିରି ଏବଂ କୋଣାର୍କ ପାର୍ଶ୍ୱରୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକୁ ମାର୍କେଟ ଛକ ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି। ଏହି ଯାନଗୁଡ଼ିକ ପାଇଁ ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସ ଏବଂ ପୁରୁଣା ଜଗନ୍ନାଥ ବଲ୍ଲଭ ପରିସରରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଫେରିବା ବେଳେ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିଥିବା ଯାନଗୁଡ଼ିକ ନରେନ୍ଦ୍ରକୋଣ ଓ ଜଟିଆ ବାବାଜୀ ଛକ ଦେଇ ଫେରିବେ। ସେହିପରି ମାର୍କେଟ କମ୍ପ୍ଲେକ୍ସରେ ପାର୍କିଂ କରିଥିବା ଯାନଗୁଡ଼ିକ ମେଡିକାଲ ଛକ ଦେଇ ପ୍ରସ୍ଥାନ କରିବେ।
ସମୁଦ୍ରକୂଳ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ନିଜର ଦୁଇଚକିଆ ଯାନକୁ ଭିଆଇପି ରୋଡ୍ ଦେଇ ଦିଗବାରେଣୀ ନିକଟରେ ପାର୍କିଂ କରିବେ ଏବଂ ଫେରିବା ସମୟରେ ମଧ୍ୟ ସେହି ରାସ୍ତା ବ୍ୟବହାର କରିବେ। ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଓ ହାତୀବେଶ ଦର୍ଶନ ପାଇଁ ଦେଶ-ବିଦେଶରୁ ଭକ୍ତମାନେ ପୁରୀରେ ପହଞ୍ଚୁଥିବା ବେଳେ, ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।












Leave a Reply