ଶ୍ରୀକ୍ଷେତ୍ରରେ ଭକ୍ତିର ମହାସମୁଦ୍ର: ସ୍ନାନପୂର୍ଣ୍ଣିମାରେ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ, ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ପୁରୀ

ଅକ୍ଷର ବ୍ୟୁରୋ: ସ୍ନାନପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀ ଆଜି ଭକ୍ତି, ଭାବ ଓ ଆଧ୍ୟାତ୍ମିକତାର ମହାମିଳନ କ୍ଷେତ୍ର ପାଲଟିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ପହଣ୍ଡି ବିଜେ ଚାଲିଥିବା ବେଳେ ପବିତ୍ର ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଭକ୍ତଙ୍କ ‘ଜୟ ଜଗନ୍ନାଥ’ ଧ୍ୱନିରେ ସମଗ୍ର ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଉଠିଛି ଏବଂ ଶ୍ରୀକ୍ଷେତ୍ର ଭକ୍ତିର ମହାସମୁଦ୍ରରେ ପରିଣତ ହୋଇଛି।

ପରମ୍ପରା ଅନୁଯାୟୀ, ପହଣ୍ଡି ପରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପରେ ବିରାଜମାନ ହେବେ। ଦିନ ୧୨ଟା ୨୦ ମିନିଟରୁ ଦିନ ୨ଟା ପର୍ଯ୍ୟନ୍ତ ଜଳ ବିଜେ, ପୂଜାନୀତି ଓ ମହାସ୍ନାନ ବିଧି ସମ୍ପନ୍ନ ହେବ। ଜଳ ବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ପରମ୍ପରା ଅନୁସାରେ ଟେରା ବାନ୍ଧି ଶୋଧ ନୀତି ସମ୍ପନ୍ନ କରିବେ। ଏହାପରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଜିଉଙ୍କ ଦର୍ଶନ ସାରି ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ଗଜପତି ମହାରାଜ ପାରମ୍ପରିକ ରୀତିନୀତି ଅନୁସାରେ ଶ୍ରୀନଅରରୁ ବିଜେ କରି ସ୍ନାନମଣ୍ଡପରେ ପହଞ୍ଚିବେ। ଅପରାହ୍ନ ସାଢ଼େ ୩ଟାରେ ଗଜପତି ମହାରାଜ ରାଜନୀତି ସମ୍ପନ୍ନ କରିବା ସହ ମହାପ୍ରଭୁଙ୍କ ଛେରା ପହଁରା ନୀତି ପାଳନ କରିବେ।

ଦେବସ୍ନାନ ପୂର୍ଣ୍ଣିମାର ଏହି ମହାପର୍ବକୁ ନେଇ ଶ୍ରୀକ୍ଷେତ୍ରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବାବେଳେ, ମହାପ୍ରଭୁଙ୍କ ଦିବ୍ୟ ସ୍ନାନଲୀଳାର ସାକ୍ଷୀ ହେବାକୁ ଦେଶ-ବିଦେଶରୁ ଆସିଥିବା ଭକ୍ତମାନଙ୍କ ମଧ୍ୟରେ ଅପାର ଉତ୍ସାହ ଓ ଆଧ୍ୟାତ୍ମିକ ଉଦ୍ଦୀପନା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial