ନୋଏଡାର ହାଇରାଇଜ୍ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ: ଏସି ବିସ୍ଫୋରଣ ସନ୍ଦେହ, ୨୨ତମ ମହଲାରୁ ବ୍ୟାପିଲା ନିଆଁ

ଅକ୍ଷର ବ୍ୟୁରୋ: ଉତ୍ତର ପ୍ରଦେଶର ନୋଏଡା ସହରର ଏକ ବହୁତଳ ଆବାସିକ ସୋସାଇଟିରେ ସୋମବାର ସକାଳେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ସେକ୍ଟର-୧୧୯ ସ୍ଥିତ ଅରଣ୍ୟ ସୋସାଇଟିର ୨୨ତମ ମହଲାର ଏକ ଫ୍ଲାଟରେ ହଠାତ୍ ନିଆଁ ଲାଗିବା ପରେ ସମଗ୍ର ସୋସାଇଟିରେ ଆତଙ୍କ ଖେଳିଯାଇଥିଲା। ପ୍ରାଥମିକ ତଦନ୍ତରୁ ଏସି ବିସ୍ଫୋରଣ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ, ସକାଳେ ପ୍ରଥମେ ସମ୍ପୃକ୍ତ ଫ୍ଲାଟରୁ ଘନ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ମାତ୍ର କିଛି ସମୟ ମଧ୍ୟରେ ନିଆଁ ଭୟଙ୍କର ରୂପ ଧାରଣ କରି ପାଖରେ ଥିବା ଅନ୍ୟ ଏକ ଫ୍ଲାଟକୁ ମଧ୍ୟ ବ୍ୟାପିଯାଇଥିଲା। ବହୁତଳ କୋଠାରୁ ଅଗ୍ନିଶିଖା ଓ ଧୂଆଁ ବାହାରୁଥିବା ଦୃଶ୍ୟ ଦେଖି ସୋସାଇଟିରେ ରହୁଥିବା ଲୋକମାନେ ଭୟଭୀତ ହୋଇ ତୁରନ୍ତ ବାହାରକୁ ଦୌଡ଼ିଥିଲେ।

ଘଟଣାର ସୂଚନା ପାଇବା ପରେ ଫାୟାର ବ୍ରିଗେଡ୍‌ର ଏକାଧିକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଅପରେସନ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ସମୟରେ ସୋସାଇଟିର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାରୁ ବଡ଼ ଧରଣର ଅଘଟଣ ଏଡ଼ାଯାଇଛି। ଏହି ଘଟଣାରେ କୌଣସି ଜୀବନହାନି ହୋଇନଥିବା ସୂଚନା ମିଳିଛି। ପ୍ରାଥମିକ ଯାଞ୍ଚରେ ଏସି ବିସ୍ଫୋରଣକୁ ଅଗ୍ନିକାଣ୍ଡର ସମ୍ଭାବ୍ୟ କାରଣ ଭାବେ ସନ୍ଦେହ କରାଯାଉଥିଲେ ମଧ୍ୟ ପ୍ରକୃତ କାରଣ ଜାଣିବା ପାଇଁ ଅଗ୍ନିଶମ ବିଭାଗ ଓ ସମ୍ପୃକ୍ତ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି।

ଘଟଣାକୁ ଗୁରୁତ୍ୱର ସହ ନେଇ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ଘଟଣାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଆହତ ଥିଲେ ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ସବିଶେଷ ରିପୋର୍ଟ ମଧ୍ୟ ତଲବ କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial