୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କ ମହାସ୍ନାନ: ସ୍ନାନବେଦୀରେ ଦିବ୍ୟ ଲୀଳା, ଗଜାନନ ବେଶକୁ ଭକ୍ତଙ୍କ ଅପେକ୍ଷା

ଅକ୍ଷର ବ୍ୟୁରୋ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ଆଜି ଭକ୍ତି, ଆସ୍ଥା ଓ ପରମ୍ପରାର ଏକ ଅପୂର୍ବ ସଙ୍ଗମ ଦେଖିବାକୁ ମିଳିଛି। ଭକ୍ତଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ସ୍ନାନବେଦୀରେ ବିରାଜମାନ ହୋଇ ୧୦୮ ଗରା ସୁବାସିତ ପବିତ୍ର ଜଳରେ ମହାସ୍ନାନ କରୁଛନ୍ତି। ଏହି ଦିବ୍ୟ ନୀତିକୁ ପ୍ରତ୍ୟକ୍ଷ କରିବା ପାଇଁ ପୁରୀ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି।

ସକାଳୁ ରତ୍ନବେଦୀରୁ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପକୁ ବିଜେ କରିଥିଲେ। ପାରମ୍ପରିକ ବୈଦିକ ମନ୍ତ୍ରୋଚ୍ଚାରଣ, ଘଣ୍ଟ, ଘଣ୍ଟା ଓ ଶଙ୍ଖଧ୍ୱନି ମଧ୍ୟରେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନନୀତି ସମ୍ପନ୍ନ ହେଉଛି। ସୁବାସିତ ଔଷଧୀୟ ଜଳରେ ଏହି ମହାସ୍ନାନ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ଓ ଆକର୍ଷଣୀୟ ପରମ୍ପରା।

ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଆଜି ଲୋକାରଣ୍ୟରେ ପରିଣତ ହୋଇଛି। କାହା ହାତରେ ତୁଳସୀମାଳା, କାହା ଓଠରେ “ଜୟ ଜଗନ୍ନାଥ”ର ଧ୍ୱନି, ତ ଆଉ କାହା ଆଖିରେ ଭକ୍ତିର ଅଶ୍ରୁ। ବର୍ଷର ଏହି ଦୁର୍ଲଭ ମହାସ୍ନାନ ଲୀଳାକୁ ଦେଖି ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି। ସମଗ୍ର ବଡ଼ଦାଣ୍ଡ ହରିନାମ, ଭଜନ ଓ ଜୟଧ୍ୱନିରେ ପ୍ରକମ୍ପିତ ହେଉଥିବା ବେଳେ ଭକ୍ତିର ସ୍ରୋତରେ ଭାସୁଛି ସାରା ଶ୍ରୀକ୍ଷେତ୍ର।

ପୁରାଣ ଅନୁସାରେ, ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ କଲେ ସମସ୍ତ ପାପ କ୍ଷୟ ହେବା ସହ ପ୍ରଭୁଙ୍କ ଅପାର କୃପା ଲାଭ ହୁଏ। ଏହି ବିଶ୍ୱାସକୁ ନେଇ ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି।

ମହାସ୍ନାନ ନୀତି ଶେଷ ହେବା ପରେ ମହାପ୍ରଭୁ ବର୍ଷକୁ ମାତ୍ର ଥରେ ଧାରଣ କରୁଥିବା ଦୁର୍ଲଭ ଗଜାନନ ବା ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏହି ଦିବ୍ୟ ବେଶ ଦର୍ଶନ ପାଇଁ ଏବେ ମଧ୍ୟ ଶ୍ରୀକ୍ଷେତ୍ରରେ ଅପେକ୍ଷାରତ ରହିଛନ୍ତି ଅଗଣିତ ଭକ୍ତ। “ଜୟ ଜଗନ୍ନାଥ” ଧ୍ୱନିରେ କମ୍ପୁଥିବା ବଡ଼ଦାଣ୍ଡ ଆଜି ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକତାର ଏକ ମହାମିଳନର ସାକ୍ଷୀ ପାଲଟିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)