ଅକ୍ଷର ବ୍ୟୁରୋ: ରୁଷରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା ଶିଳ୍ପ ମହୋତ୍ସବରେ ରୁଷୀୟ ଗ୍ରାଣ୍ଡ୍ ସ୍ୟାଣ୍ଡ୍ ମାଷ୍ଟର କପ୍–୨୦୨୬ ଜିତି ଓଡ଼ିଶା ପାଇଁ ବିଶ୍ୱସ୍ତରରେ ଗୌରବ ଆଣିଥିବା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଘରକୁ ସୋମବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କୁ ସାକ୍ଷାତ କରି ବିଶ୍ୱମଞ୍ଚରେ ଓଡ଼ିଶାର କଳା ଓ ସଂସ୍କୃତିକୁ ଗୌରବାନ୍ୱିତ କରିଥିବାରୁ ମୁଖ୍ୟମନ୍ତ୍ରୀ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସୁଦର୍ଶନ ପଟ୍ଟନାୟକ ନିଜର ଅସାଧାରଣ ବାଲୁକା ଶିଳ୍ପ ମାଧ୍ୟମରେ କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱ ଦରବାରରେ ସଫଳତାର ସହ ଉପସ୍ଥାପନ କରୁଛନ୍ତି। ତାଙ୍କ ସଫଳତା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ବୋଲି ସେ ପ୍ରକାଶ କରିଥିଲେ। ଏହି ସାକ୍ଷାତକାର ସମୟରେ ଉଭୟଙ୍କ ମଧ୍ୟରେ ପୁରୀର କଳା, ସଂସ୍କୃତି, ପର୍ଯ୍ୟଟନର ବିକାଶ ଏବଂ ବାଲୁକା ଶିଳ୍ପକୁ ବିଶ୍ୱସ୍ତରରେ ଆହୁରି ପ୍ରସାର କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାର କଳାକାରଙ୍କ ପ୍ରତି ସବୁବେଳେ ସହଯୋଗ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସଂସ୍ଥାନରେ ଉପସ୍ଥିତ କୁନି କୁନି ଶିଶୁମାନଙ୍କ ସହ କିଛି ସମୟ ବିତାଇଥିଲେ। ପିଲାମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ କଳା ପ୍ରତିଭାକୁ ଉତ୍ସାହିତ କରିଥିଲେ। ଏହି ଦୃଶ୍ୟ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଆକର୍ଷିତ କରିଥିଲା।
ରୁଷରେ ମିଳିଥିବା ଏହି ଆନ୍ତର୍ଜାତୀୟ ସଫଳତା ପରେ ସୁଦର୍ଶନ ପଟ୍ଟନାୟକଙ୍କୁ ରାଜ୍ୟବାସୀଙ୍କ ପକ୍ଷରୁ ଲଗାତାର ଅଭିନନ୍ଦନ ଜଣାଯାଉଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ଏହି ସାକ୍ଷାତ ତାଙ୍କ ସଫଳତାକୁ ଆହୁରି ଗୌରବାନ୍ୱିତ କରିଛି।















Leave a Reply