ଅକ୍ଷର ବ୍ୟୁରୋ: ବଲାଙ୍ଗୀର ଜିଲ୍ଲାରେ ବ୍ୟାଙ୍କ ଜାଲିଆତିର ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଚେକ୍ରେ ଜାଲ ଦସ୍ତଖତ କରି ଏନଇଏଫଟି (NEFT) ମାଧ୍ୟମରେ ୫ ଲକ୍ଷ ୧୪ ହଜାର ଟଙ୍କା ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅଧୀନ ଲରମ୍ଭା ଥାନାର ଗୋଇଲପିଟା ଗାଁରେ ଘଟିଥିବାବେଳେ ପୀଡ଼ିତ ହେଲେ ପାଳ ଦଣ୍ଡସେନା।
ସୂଚନା ଅନୁସାରେ, ପାଳ ଦଣ୍ଡସେନାଙ୍କର ପାଟଣାଗଡ଼ ୟୁନିଅନ ବ୍ୟାଙ୍କ ଶାଖାରେ ଏକ ସଞ୍ଚୟ ଖାତା ରହିଛି। ଗତବର୍ଷ ପାଟଣାଗଡ଼ ଅଞ୍ଚଳର ଦଲଦଲି ଗାଁର ଉପେନ୍ଦ୍ର ମେହେର ତାଙ୍କୁ ବ୍ୟାଙ୍କ ଖାତା ଖୋଲିବା ପାଇଁ ଆବଶ୍ୟକ କାଗଜପତ୍ର କାମରେ ସହଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ପାଳ ଦଣ୍ଡସେନାଙ୍କ ଖାତାକୁ କୃଷି ବୀମା ବାବଦର ଟଙ୍କା ଜମା ହୋଇଥିଲା।
ତେବେ ସମ୍ପ୍ରତି ତାଙ୍କ ଖାତାରୁ ଏନଇଏଫଟି ଜରିଆରେ ୫ ଲକ୍ଷ ୧୪ ହଜାର ଟଙ୍କା ସ୍ଥାନାନ୍ତର ହୋଇଯାଇଥିବା ଜାଣିବା ପରେ ପାଳ ଦଣ୍ଡସେନା ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ। ବ୍ୟାଙ୍କରେ ପଚରାଉଚରା କରିବା ପରେ ଚେକ୍ରେ ଜାଲ ଦସ୍ତଖତ କରାଯାଇ ଟଙ୍କା ତୁଷରା ଅଞ୍ଚଳର ରାଜୀବ ମେହେରଙ୍କ ଖାତାକୁ ଯାଇଥିବା ସୂଚନା ମିଳିଥିବା ସେ ଅଭିଯୋଗ କରିଛନ୍ତି।
ଏହି ଘଟଣାକୁ ନେଇ ପୀଡ଼ିତ ପାଳ ଦଣ୍ଡସେନା ଟଙ୍କା ଫେରସ୍ତ ପାଇଁ ପୁଲିସର ଦ୍ୱାରସ୍ଥ ହେବାକୁ ଯାଉଛନ୍ତି। ସେ ଲରମ୍ଭା ଥାନାରେ ଏତଲା ଦାଖଲ କରିବେ ବୋଲି କହିଛନ୍ତି। ଅଭିଯୋଗ ପରେ ପୁଲିସ ଓ ବ୍ୟାଙ୍କ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହେବ ବୋଲି ଜଣାପଡ଼ିଛି।















Leave a Reply