ଅକ୍ଷର ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ସଂରକ୍ଷଣକୁ ନଜରରେ ରଖି ଆସନ୍ତା ଜୁଲାଇ ୧୮ ତାରିଖରେ ଶ୍ରୀମନ୍ଦିରର ଏକ ବ୍ୟାପକ ବୈଷୟିକ ଯାଞ୍ଚ କରାଯିବ। ଏହି ଯାଞ୍ଚ ସମୟରେ ରତ୍ନଭଣ୍ଡାର ସମେତ ମନ୍ଦିରର ବିଭିନ୍ନ ସଂରଚନାର ସ୍ଥିତି, ସୁରକ୍ଷା ଓ ସଂରକ୍ଷଣ ବ୍ୟବସ୍ଥାର ବିସ୍ତୃତ ଅନୁଧ୍ୟାନ କରିବେ ବିଶେଷଜ୍ଞମାନେ।
ଏହି ବୈଷୟିକ ଯାଞ୍ଚ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍ଜେଟିଏ)ର ଏକ ମିଳିତ ବିଶେଷଜ୍ଞ ଟିମ୍ ପୁରୀରେ ପହଞ୍ଚି ମନ୍ଦିରର ବିଭିନ୍ନ ଅଂଶର ସୂକ୍ଷ୍ମ ଯାଞ୍ଚ କରିବେ। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଏଏସ୍ଆଇକୁ ଆନୁଷ୍ଠାନିକ ଭାବେ ଚିଠି ପଠାଯାଇଥିବା ସୂଚନା ମିଳିଛି। ଯାଞ୍ଚ ସମୟରେ ମନ୍ଦିରର ପ୍ରମୁଖ ସଂରଚନା, ରତ୍ନଭଣ୍ଡାର, ପାଥରର ସ୍ଥିତି, ସ୍ଥାପତ୍ୟଗତ ଦୃଢତା, ସୁରକ୍ଷା ବ୍ୟବସ୍ଥା ଓ ଦୀର୍ଘମିଆଦୀ ସଂରକ୍ଷଣ ଆବଶ୍ୟକତାକୁ ବୈଷୟିକ ଭାବେ ଅନୁଧ୍ୟାନ କରାଯିବ। ବିଶେଷଜ୍ଞ ଦଳ ମନ୍ଦିରର ବର୍ତ୍ତମାନ ସ୍ଥିତିର ମୂଲ୍ୟାଙ୍କନ କରି ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବେ।
ବୈଷୟିକ ଯାଞ୍ଚ ଶେଷ ହେବା ପରେ ଏଏସ୍ଆଇ, ଶ୍ରୀମନ୍ଦିର ପ୍ରଶାସନ ଓ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ବୈଷୟିକ ରିପୋର୍ଟକୁ ଆଧାର କରି ମନ୍ଦିରର ସଂରକ୍ଷଣ, ମରାମତି, ଆବଶ୍ୟକ ସଂସ୍କାର କାର୍ଯ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିରର ଐତିହ୍ୟ, ସ୍ଥାପତ୍ୟ କଳା ଓ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କରାଯାଉଥିବା ଏହି ବୈଷୟିକ ଯାଞ୍ଚକୁ ଅତ୍ୟନ୍ତ ଗୁରୁତ୍ୱର ସହ ଦେଖାଯାଉଛି। ଏହି ଯାଞ୍ଚ ରିପୋର୍ଟ ହିଁ ଭବିଷ୍ୟତରେ ଶ୍ରୀମନ୍ଦିର ଓ ରତ୍ନଭଣ୍ଡାରର ସଂରକ୍ଷଣ ଏବଂ ମରାମତି କାର୍ଯ୍ୟ ପାଇଁ ମାର୍ଗଦର୍ଶକ ହେବ ବୋଲି ସମ୍ପୃକ୍ତ ସୂତ୍ରରୁ ସୂଚନା ମିଳିଛି।














Leave a Reply