ଅକ୍ଷର ବ୍ୟୁରୋ: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ୍ ସ୍ଥିତ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି-ଡ୍ୟାମର ଗୋଟିଏ ଗେଟ୍ ଖୋଲାଯାଇଛି। ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିବା ପରେ ପ୍ରକଳ୍ପ କର୍ତ୍ତୃପକ୍ଷ ସୁରକ୍ଷା ଦୃଷ୍ଟିରୁ ୭ ନମ୍ବର ଗେଟ୍ ଖୋଲି ପ୍ରତି ସେକେଣ୍ଡରେ ୧,୦୦୦ କ୍ୟୁସେକ୍ ଜଳ ନିଷ୍କାସନ କରୁଛନ୍ତି। ଆଗାମୀ ଦିନରେ ବର୍ଷାର ପରିମାଣ ବଢ଼ିଲେ ଅନ୍ୟ ଗେଟ୍ ମଧ୍ୟ ଖୋଲାଯାଇପାରେ ବୋଲି ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ମାଛକୁଣ୍ଡ ଜଳଭଣ୍ଡାରର ସର୍ବାଧିକ କ୍ଷମତା ୨୫୯୦ ଫୁଟ୍ ଥିବା ବେଳେ ଜଳସ୍ତର ୨୫୮୭ ଫୁଟ୍ ଛୁଇଁବା ପରେ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଗେଟ୍ ଖୋଲାଯାଇଛି। ଗତ ତିନି ଦିନ ଧରି କୋରାପୁଟ ଜିଲ୍ଲାରେ ଲଗାତାର ବର୍ଷା ହୋଇଥିବା ବେଳେ ଲମତାପୁଟ ବ୍ଲକ୍ରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ବିପୁଳ ପରିମାଣର ପାଣି ପ୍ରବେଶ କରୁଥିବାରୁ ଜଳ ନିଷ୍କାସନ ଆରମ୍ଭ କରାଯାଇଛି।
ସେପଟେ, ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ସାଧାରଣ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଜି ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାରେ ୮ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ୧୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିପାରେ।
ଲଘୁଚାପ ପ୍ରଭାବରେ ସମୁଦ୍ର ମଧ୍ୟ ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ କଡ଼ା ପରାମର୍ଶ ଦିଆଯାଇଛି। ସେହିପରି ନଦୀ କୂଳବର୍ତ୍ତୀ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ସ୍ଥାନୀୟ ପ୍ରଶାସନର ପରାମର୍ଶ ପାଳନ କରିବାକୁ କୁହାଯାଇଛି। ବର୍ଷାର ତୀବ୍ରତା ବଢ଼ିଲେ ମାଛକୁଣ୍ଡ ଡ୍ୟାମର ଅଧିକ ଗେଟ୍ ଖୋଲାଯିବାର ସମ୍ଭାବନା ଥିବାରୁ ତଳମୁଣ୍ଡ ଅଞ୍ଚଳ ପାଇଁ ସତର୍କତା ଜାରି ରହିଛି।













Leave a Reply