ଅକ୍ଷର ବ୍ୟୁରୋ: ତାମିଲନାଡୁରେ ଘଟିଥିବା ଭୟାବହ ଗ୍ୟାସ୍ ଲିକ୍ ଘଟଣା ଓଡ଼ିଶା ପାଇଁ ଏକ ବଡ଼ ଦୁଃଖଦ ଖବର ଆଣିଛି। ସେଠାରେ କାର୍ଯ୍ୟରତ କେନ୍ଦୁଝର ଓ ଅନୁଗୋଳ ଜିଲ୍ଲାର ଶ୍ରମିକମାନଙ୍କ ମଧ୍ୟରୁ ମୃତ୍ୟୁ ସଂଖ୍ୟା ବଢ଼ି ୧୫ରେ ପହଞ୍ଚିଛି। ଅଧିକାଂଶ ମୃତକ କେନ୍ଦୁଝର ଜିଲ୍ଲାର ଜୁଆଙ୍ଗ ସମ୍ପ୍ରଦାୟର ଯୁବତୀ ହୋଇଥିବାରୁ ସେମାନଙ୍କ ଗାଁ ଓ ପରିବାରରେ ଶୋକର ଛାୟା ଖେଳିଯାଇଛି। ଏପରିକି ଆହୁରି ୪ରୁ ୫ ଜଣ ଶ୍ରମିକ ତାମିଲନାଡୁର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ତାମିଲନାଡୁରେ କାମ କରୁଥିବା ଓଡ଼ିଶାର ଶ୍ରମିକମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୧୫ ଜଣଙ୍କ ପ୍ରାଣହାନି ଘଟିଛି। ମୃତକମାନଙ୍କ ମଧ୍ୟରେ କେନ୍ଦୁଝର ଜିଲ୍ଲାର ତେଲକୋଇ, ବାଂଶପାଳ ଓ ହରିଚନ୍ଦନପୁର ଅଞ୍ଚଳର ଅଧିକାଂଶ ଯୁବତୀ ଥିବାବେଳେ ଅନୁଗୋଳ ଜିଲ୍ଲାର ଜଣେ ମହିଳା ମଧ୍ୟ ରହିଛନ୍ତି। ମୃତକମାନଙ୍କ ମଧ୍ୟରେ ଶିବାନୀ, ଗୀତା, ଗୁମଣୀ, ଜମିନୀ, ଫୁଲମଣି, ସଜନୀ, ଚମ୍ପାବତୀ, ସୁବାସୀ, ରୀତା, ଦୀପାଞ୍ଜଳୀ, ସୁମିତ୍ରା ଜୁଆଙ୍ଗ, କବିତା ଜୁଆଙ୍ଗ, ବୁଧବାରୀ ନାଏକ, ଅଞ୍ଜଳି ଜୁଆଙ୍ଗ ଏବଂ ରୋହଣୀ ଜୁଆଙ୍ଗଙ୍କ ନାମ ସାମ୍ନାକୁ ଆସିଛି।
ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ପରିବାର ଲୋକଙ୍କ କାନ୍ଦବୋବାଳିରେ ସମଗ୍ର ଅଞ୍ଚଳର ପରିବେଶ ଭାରାକ୍ରାନ୍ତ ହୋଇପଡ଼ିଛି। ରୋଜଗାରର ଆଶା ନେଇ ହଜାର ହଜାର କିଲୋମିଟର ଦୂରକୁ ଯାଇଥିବା ଏହି ଶ୍ରମିକମାନଙ୍କ ଅକାଳ ମୃତ୍ୟୁ ସମଗ୍ର ଓଡ଼ିଶାକୁ ସ୍ତବ୍ଧ କରିଦେଇଛି। ଅନ୍ୟପଟେ, ଘଟଣାରେ ଆହତ ହୋଇଥିବା ୪ରୁ ୫ ଜଣ ଶ୍ରମିକ ଏବେ ତାମିଲନାଡୁର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ନଜର ରଖିଥିବା ସୂଚନା ମିଳିଛି।
ଗ୍ୟାସ୍ ଲିକ୍ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସରକାରୀ ତଦନ୍ତ ଜାରି ରହିଥିବାବେଳେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇନାହିଁ। ଏହି ଘଟଣାକୁ ନେଇ ଓଡ଼ିଶା ସରକାର ଓ ତାମିଲନାଡୁ ପ୍ରଶାସନଙ୍କ ମଧ୍ୟରେ ସମନ୍ୱୟ ରଖାଯାଇଥିବା ଜଣାପଡ଼ିଛି। ଏପଟେ ମୃତକଙ୍କ ପରିବାର ଲୋକେ ଘଟଣାର ନିରପେକ୍ଷ ତଦନ୍ତ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ପ୍ରଭାବିତ ପରିବାରଙ୍କୁ ଯଥୋଚିତ କ୍ଷତିପୂରଣ ଓ ସହାୟତା ପ୍ରଦାନ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି।













Leave a Reply