ଅକ୍ଷର ବ୍ୟୁରୋ: ଲଘୁଚାପଜନିତ ଲଗାଣ ବର୍ଷା ବୌଦ୍ଧ ଜିଲ୍ଲାରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଅବିରତ ବର୍ଷା ଫଳରେ ପାହାଡ଼ି ଝରଣାରେ ପ୍ରବଳ ସ୍ରୋତ ଆସି ନିର୍ମାଣାଧୀନ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ୭ ନମ୍ବର ଟନେଲ ନିକଟରେ ରେଳଧାରଣା ତଳର ସମସ୍ତ ମାଟି ଧୋଇ ନେଇଛି। ଏହା ସହ ଝରଣାର ପାଣି ନିକଟବର୍ତ୍ତୀ ଗାଁରେ ପଶି ବନ୍ୟା ପରିସ୍ଥିତି ସୃଷ୍ଟି କରିଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଗୁଣ୍ଡୁରୀବିଡ଼ା ଗାଁରେ ବର୍ତ୍ତମାନ ସ୍ଥିତି ସବୁଠୁ ଗମ୍ଭୀର। ଗାଁର ଘରଦ୍ୱାର ଚାରିପଟେ କେବଳ ପାଣି ହିଁ ପାଣି। କେହି ଘର ଭିତରୁ ପାଣି ବାହାର କରିବାରେ ବ୍ୟସ୍ତ ଥିବାବେଳେ, ଆଉ କେହି ବନ୍ଧ ବାନ୍ଧି ପାଣିକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ତେବେ ପାହାଡ଼ି ଝରଣାର ପ୍ରବଳ ସ୍ରୋତ ଆଗରେ ସମସ୍ତ ପ୍ରୟାସ ବିଫଳ ହୋଇଛି।
ଗାଁ ସମ୍ପୂର୍ଣ୍ଣ ବନ୍ୟା ପାଣିରେ ବୁଡ଼ି ରହିଥିବାରୁ ବାହ୍ୟ ଜଗତ ସହ ସମସ୍ତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ଗ୍ରାମବାସୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟଜନକ। ଆଜିକୁ ଚାରି ଦିନ ହେଲା ଘରେ ଚୁଲି ଜଳିନଥିବା ବେଳେ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଛି। ତେଣୁ ପ୍ରଶାସନ ତୁରନ୍ତ ଶୁଖିଲା ଖାଦ୍ୟ, ପାନୀୟ ଜଳ ଏବଂ ଆବଶ୍ୟକ ରିଲିଫ୍ ସାମଗ୍ରୀ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏପଟେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ ପାଇଁ ମଧ୍ୟ ଏହି ଘଟଣା ବଡ଼ ଝଟକା ହୋଇଛି। ୭ ନମ୍ବର ଟନେଲ ନିକଟରେ ରେଳଧାରଣା ତଳର ମାଟି ଧୋଇଯିବାରୁ ଚାରିଛକ ଷ୍ଟେସନ ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ କରିବା ଯୋଜନାରେ ବିଳମ୍ବ ହେବାର ଆଶଙ୍କା ପ୍ରକାଶ ପାଇଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରକଳ୍ପ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ପକ୍ଷରୁ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ନିର୍ମାଣ କରାଯାଇନଥିବାରୁ ବର୍ଷା ପାଣିର ସଠିକ୍ ନିଷ୍କାସନ ହୋଇପାରିନଥିଲା। ଫଳରେ ପାହାଡ଼ି ଝରଣାର ପ୍ରବଳ ସ୍ରୋତ ରେଳଧାରଣାକୁ କ୍ଷତିଗ୍ରସ୍ତ କରିବା ସହ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଘଟଣାକୁ ନେଇ ପ୍ରଶାସନ ଓ ସଂପୃକ୍ତ ସଂସ୍ଥାର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।















Leave a Reply