ପୁରୀରେ ରଥଯାତ୍ରା ପାଇଁ ଶେଷ ପ୍ରସ୍ତୁତି; ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ହାଇଲେଭେଲ୍ ସମୀକ୍ଷା ବୈଠକ

ଅକ୍ଷର ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ପୂର୍ବରୁ ପୁରୀରେ ଆରମ୍ଭ ହୋଇଛି ସର୍ବୋଚ୍ଚସ୍ତରୀୟ ସମୀକ୍ଷା ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୁରୀ ପୌର ସଦନରେ ଚାଲିଥିବା ଏହି ବୈଠକକୁ ରଥଯାତ୍ରା ପୂର୍ବର ଶେଷ ଓ ଚୂଡ଼ାନ୍ତ ସମନ୍ୱୟ ବୈଠକ ଭାବେ ଗୁରୁତ୍ୱ ଦିଆଯାଉଛି। ରଥଯାତ୍ରାର ସୁପରିଚାଳନା, ସୁରକ୍ଷା ଏବଂ ଭକ୍ତଙ୍କ ସୁବିଧାକୁ ନେଇ ବିଭିନ୍ନ ବିଭାଗର ପ୍ରସ୍ତୁତିର ଚୂଡ଼ାନ୍ତ ସମୀକ୍ଷା କରାଯାଉଛି।

ଏହା ପୂର୍ବରୁ ରେଭେନ୍ୟୁ ଡିଭିଜନାଲ କମିଶନର (RDC) ଏବଂ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇଟି ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ବୈଠକରେ ବିଭିନ୍ନ ବିଭାଗ ନିଜ ନିଜ ପ୍ରସ୍ତୁତି ସମ୍ପର୍କିତ ରିପୋର୍ଟ ଦାଖଲ କରିଥିଲେ। ଆଜିର ବୈଠକରେ ସେହି ସମସ୍ତ ରିପୋର୍ଟର ଚୂଡ଼ାନ୍ତ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଦେବେ ମୁଖ୍ୟମନ୍ତ୍ରୀ।

ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସମେତ ଅନେକ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଅଛନ୍ତି। ଏହାସହ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (DGP) ୱାଇ.ବି. ଖୁରାନିଆଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି।

ରଥଯାତ୍ରା ସମୟରେ ଶ୍ରୀମନ୍ଦିର ନୀତିକାନ୍ତିର ସୁଚାରୁ ପରିଚାଳନା, ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ୍ ବ୍ୟବସ୍ଥା, ପରିମଳ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ଭିଡ଼ ନିୟନ୍ତ୍ରଣ ଭଳି ସମସ୍ତ ପ୍ରମୁଖ ପ୍ରସଙ୍ଗ ଉପରେ ବିସ୍ତୃତ ସମୀକ୍ଷା କରାଯାଉଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାକୁ ତ୍ରୁଟିମୁକ୍ତ କରିବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି।ରଥଯାତ୍ରାର ସଫଳ ଓ ସୁରକ୍ଷିତ ଆୟୋଜନ ପାଇଁ ଆଜିର ଏହି ହାଇଲେଭେଲ୍ ବୈଠକକୁ ନିର୍ଣ୍ଣାୟକ ବୋଲି କୁହାଯାଉଛି। ବୈଠକ ପରେ ବିଭିନ୍ନ ବିଭାଗକୁ ଚୂଡ଼ାନ୍ତ ନିର୍ଦ୍ଦେଶ ଜାରି କରାଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)