ହର୍ମୁଜ୍‌ ଜଳସନ୍ଧି ପାର କଲା ସାର ବୋଝେଇ ୧୫ ଜାହାଜ; କୃଷକଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଯୋଗାଣ ନେଇ କେନ୍ଦ୍ରର ଭରସା

ଅକ୍ଷର ବ୍ୟୁରୋ: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ବୈଶ୍ୱିକ ସପ୍ଲାଇ ଚେନ୍‌ ଉପରେ ଏହାର ପ୍ରଭାବ ମଧ୍ୟରେ ଭାରତ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ସାର ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ଓ ସାର ବୋଝେଇ ୧୫ଟି ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍‌ ଜଳସନ୍ଧି ପାର କରି ଭାରତ ଅଭିମୁଖେ ଯାତ୍ରା କରୁଛି। ଏହା ସହିତ କୃଷକଙ୍କ ପାଇଁ ସାର ଯୋଗାଣ ନିରବିଚ୍ଛିନ୍ନ ରହିବ ବୋଲି କେନ୍ଦ୍ର ସରକାର ଭରସା ଦେଇଛନ୍ତି।

ମନ୍ତ୍ରଣାଳୟର ସୂଚନା ଅନୁସାରେ, ୧୫ଟି ଜାହାଜ ମଧ୍ୟରୁ ୮ଟି ଜାହାଜରେ ୩.୩୨ ଲକ୍ଷ ମେଟ୍ରିକ୍ ଟନ୍ (LMT) ୟୁରିଆ, ୪ଟି ଜାହାଜରେ ୨.୫୭ ଲକ୍ଷ ମେଟ୍ରିକ୍ ଟନ୍ ଡାଇଅମୋନିୟମ୍ ଫସଫେଟ୍ (DAP) ଏବଂ ୩ଟି ଜାହାଜରେ ୧.୧୧ ଲକ୍ଷ ମେଟ୍ରିକ୍ ଟନ୍ ସଲଫର ରହିଛି। ମୋଟ ୬.୮୯ ଲକ୍ଷ ମେଟ୍ରିକ୍ ଟନ୍ ସାର ଓ କଞ୍ଚାମାଲ ଭାରତକୁ ଆସୁଥିବାରୁ ଦେଶରେ ସାର ଯୋଗାଣ ସୁନିଶ୍ଚିତ ହେବ ବୋଲି କୁହାଯାଇଛି। ଏହାଛଡ଼ା ଆଉ ୫ଟି ଜାହାଜ ଖୁବଶୀଘ୍ର ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ଥିବା ମନ୍ତ୍ରଣାଳୟ ସୂଚନା ଦେଇଛି।

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ଯେ, ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ବୈଶ୍ୱିକ ସପ୍ଲାଇ ଚେନ୍‌କୁ ପ୍ରଭାବିତ କରିଥିବାରୁ ସାରର ଆନ୍ତର୍ଜାତିକ ଦର ବୃଦ୍ଧି ପାଇଛି ଏବଂ ସମୁଦ୍ର ପଥରେ ସାମଗ୍ରୀ ପରିବହନରେ ମଧ୍ୟ ବିଳମ୍ବ ହେଉଛି। ତଥାପି ଭାରତୀୟ କୃଷକଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କେନ୍ଦ୍ର ସରକାର ସମସ୍ତ ବିକଳ୍ପ ବ୍ୟବସ୍ଥା କରିଥିବା ସେ କହିଛନ୍ତି। ଜେ.ପି. ନଡ୍ଡା କହିଛନ୍ତି, ବିଦେଶରେ ଥିବା ଭାରତୀୟ ଦୂତାବାସ ଓ ମିଶନଗୁଡ଼ିକ ବିଶ୍ୱସ୍ତରୀୟ ଉତ୍ପାଦକ ଏବଂ ଯୋଗାଣକାରୀଙ୍କ ସହ ସମନ୍ୱୟ କରି ସାର ବିଭାଗକୁ ସକ୍ରିୟ ସହଯୋଗ କରୁଛନ୍ତି। ଏହା ସହିତ ରାଜ୍ୟ ସରକାରମାନଙ୍କ ସହ ନିରନ୍ତର ସମନ୍ୱୟ ରଖାଯାଉଛି, ଯାହା ଦ୍ୱାରା ଦେଶର ପ୍ରତ୍ୟେକ ଅଞ୍ଚଳରେ ସାରର ପର୍ଯ୍ୟାପ୍ତ ଉପଲବ୍ଧତା ଓ ସ୍ୱଚ୍ଛ ବଣ୍ଟନ ବ୍ୟବସ୍ଥା ସୁନିଶ୍ଚିତ ହୋଇପାରିବ।

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର କୃଷକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରତିବଦ୍ଧ। ଏହା ସହ ସାର କାରଖାନାଗୁଡ଼ିକୁ ଯୋଗାଯାଉଥିବା ପ୍ରାକୃତିକ ଗ୍ୟାସ ଯୋଗାଣ, ଯାହା କିଛି ସମୟ ପାଇଁ ୬୫ ପ୍ରତିଶତକୁ ହ୍ରାସ ପାଇଥିଲା, ତାହା ବର୍ତ୍ତମାନ ପୁଣି ୧୦୦ ପ୍ରତିଶତ ସ୍ୱାଭାବିକ ସ୍ତରକୁ ଫେରିଆସିଛି। ଏହାଦ୍ୱାରା ଦେଶରେ ସାର ଉତ୍ପାଦନ ଏବଂ ଯୋଗାଣ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ମନ୍ତ୍ରଣାଳୟ ଆଶା ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)