ଅକ୍ଷର ବ୍ୟୁରୋ: ଲଗାଣ ବର୍ଷା ପରେ ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ଉଦ୍ବେଗଜନକ ହୋଇପଡ଼ିଛି। ଦଶରଥପୁର ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀର ଶାଖା କାଣୀ ନଦୀର କଣ୍ଟପଡ଼ା ନିକଟରେ ପ୍ରାୟ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି। ଘାଇ ଦେଇ ବନ୍ୟା ପାଣି ମାଡ଼ି ଆସିବାରୁ ବିସ୍ତୀର୍ଣ୍ଣ ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଘାଇ ସୃଷ୍ଟି ହେବା ପରେ ଦଶରଥପୁର ବ୍ଲକର ମଲିକାପୁର, ଦୁଦୁରାଅଣ୍ଟା, ଶୁଶୁଆ, ମଙ୍ଗଳପୁର ଓ କନିକାପଡ଼ା ସମେତ ଅନେକ ପଞ୍ଚାୟତର ଶହ ଶହ ଏକର ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରିଛି। ଧାନ ଚାଷ ପାଇଁ ପ୍ରସ୍ତୁତ ହୋଇଥିବା ଜମି ପାଣିରେ ବୁଡ଼ି ଯାଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।
କେବଳ ଚାଷ ଜମି ନୁହେଁ, କିଛି ତଳିଆ ଅଞ୍ଚଳରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଥିବା ସୂଚନା ମିଳିଛି। ମଲିକାପୁରରୁ କଣ୍ଟପଡ଼ା ପର୍ଯ୍ୟନ୍ତ ଡାହାଣ ପାର୍ଶ୍ୱ ନଦୀବନ୍ଧର ପ୍ରାୟ ଏକ କିଲୋମିଟର ଅଂଶ ଧସିଯିବା ପରେ ଏହି ବଡ଼ ଘାଇ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଫଳରେ ବନ୍ୟା ପାଣି ଅନିୟନ୍ତ୍ରିତ ଭାବେ ଚାଷ ଜମି ଓ ତଳିଆ ଅଞ୍ଚଳକୁ ପ୍ରବେଶ କରୁଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ମଧ୍ୟ ବଢ଼ିଛି। କାରଣ ଗତବର୍ଷ ବୈତରଣୀ ନଦୀର କୟାଁ ପଞ୍ଚାୟତସ୍ଥ ଗୁଣ୍ଠୁଣୀପଡ଼ା ନିକଟରେ ପ୍ରାୟ ୫୦୦ ମିଟର ନଦୀବନ୍ଧ ଧସିଯାଇଥିଲା। ତେବେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ସେହି କ୍ଷତିଗ୍ରସ୍ତ ବନ୍ଧର ସମ୍ପୂର୍ଣ୍ଣ ମରାମତି କରାଯାଇନଥିବା ଅଭିଯୋଗ ହୋଇଛି।
ଏବେ ପୁଣି କାଣୀ ନଦୀରେ ୫୦ ଫୁଟର ଘାଇ ସୃଷ୍ଟି ହେବା ପରେ ଦଶରଥପୁର ବ୍ଲକରେ ବନ୍ୟା ବିପଦ ଆହୁରି ବଢ଼ିଯାଇଛି। ଅଧିକ ବର୍ଷା ହେଲେ ପରିସ୍ଥିତି ଆହୁରି ସଙ୍କଟଜନକ ହୋଇପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ତୁରନ୍ତ ଘାଇ ମରାମତି ସହ ବନ୍ଧର ସ୍ଥାୟୀ ସୁଦୃଢ଼ୀକରଣ ପାଇଁ ପ୍ରଶାସନ ଓ ଜଳସମ୍ପଦ ବିଭାଗ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।















Leave a Reply