ଚାଉଳିଆଗଞ୍ଜ IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ ବଡ଼ ଖୁଲାସା! ପୋଷ୍ଟମର୍ଟମ ରିପୋର୍ଟରେ ‘ଶ୍ୱାସରୁଦ୍ଧ’ ମୃତ୍ୟୁର ଉଲ୍ଲେଖ, ବଢ଼ିଲା ରହସ୍ୟ

ଅକ୍ଷର ବ୍ୟୁରୋ: କଟକ ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ନୂଆ ମୋଡ଼ ଆସିଛି। ମୃତ୍ୟୁକୁ ନେଇ ଚାଲିଥିବା ବିଭିନ୍ନ ଚର୍ଚ୍ଚା ମଧ୍ୟରେ ପ୍ରକାଶ ପାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କର ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ମାମଲାକୁ ନେଇ ରହସ୍ୟ ଆହୁରି ଗଭୀର ହୋଇଛି।

ବିୟୁଟି ମହାନ୍ତିଙ୍କ ମୃତଦେହ ଚାଉଳିଆଗଞ୍ଜ ଥାନା ପରିସରରେ ଥିବା ରେଷ୍ଟରୁମ୍‌ରୁ ଉଦ୍ଧାର କରାଯାଇଥିଲା। ତେବେ ସେ କେଉଁ ପରିସ୍ଥିତିରେ ଶ୍ୱାସରୁଦ୍ଧ ହେଲେ ଏବଂ ତାଙ୍କର ମୃତ୍ୟୁ ଆତ୍ମହତ୍ୟା ନା ଅନ୍ୟ କୌଣସି କାରଣରୁ ଘଟିଛି, ସେନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ପୋଷ୍ଟମର୍ଟମ ରିପୋର୍ଟ ପରେ ତଦନ୍ତର ଦିଗ ମଧ୍ୟ ବଦଳିପାରେ ବୋଲି ଚର୍ଚ୍ଚା ହେଉଛି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଚାଉଳିଆଗଞ୍ଜ ପୁଲିସ ତଦନ୍ତକୁ ଜୋରଦାର କରିଛି। ତଦନ୍ତର ଅଂଶ ଭାବେ ବିୟୁଟି ମହାନ୍ତିଙ୍କ କଲ୍ ଡିଟେଲ୍ସ (CDR) ଯାଞ୍ଚ କରାଯାଉଛି। ମୃତ୍ୟୁ ପୂର୍ବରୁ ସେ କାହା ସହ ଯୋଗାଯୋଗରେ ଥିଲେ ଏବଂ କୌଣସି ସନ୍ଦେହଜନକ କଲ୍ କିମ୍ବା ବାର୍ତ୍ତା ଥିଲା କି ନାହିଁ, ସେନେଇ ପୁଲିସ ଖୋଳତାଡ଼ କରୁଛି।

ଏହାସହ ପାହାଳ ଥାନାର ଜଣେ ପୁଲିସ କର୍ମଚାରୀଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ତାଙ୍କ ମୋବାଇଲ ଫୋନ୍‌କୁ ମଧ୍ୟ ପୁଲିସ ଜବତ କରି ଫରେନସିକ୍ ଯାଞ୍ଚ ପାଇଁ ପଠାଇଥିବା ଜଣାପଡ଼ିଛି। ଡିଜିଟାଲ ପ୍ରମାଣ ଓ କଲ୍ ରେକର୍ଡ ଆଧାରରେ ଘଟଣାର ସମସ୍ତ ଦିଗକୁ ତଦନ୍ତକାରୀ ଟିମ୍ ଯାଞ୍ଚ କରୁଛି। ତେବେ ତଦନ୍ତ ଶେଷ ହେବା ପୂର୍ବରୁ ମୃତ୍ୟୁର ପ୍ରକୃତ କାରଣ କିମ୍ବା ଏହା ଆତ୍ମହତ୍ୟା ନା ହତ୍ୟା ସମ୍ପର୍କରେ କୌଣସି ସରକାରୀ ସ୍ପଷ୍ଟୀକରଣ ଆସିନାହିଁ। ପୋଷ୍ଟମର୍ଟମ ରିପୋର୍ଟ, ଫରେନସିକ୍ ତଥ୍ୟ ଏବଂ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ପୁଲିସ ତଦନ୍ତ ଆଗକୁ ବଢ଼ାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)