ପୁଣି ଶ୍ରୀମନ୍ଦିର ସୁରକ୍ଷାରେ ବଡ଼ ପ୍ରଶ୍ନ! ନୋ-ଫ୍ଲାଇ ଜୋନ୍‌ରେ ଉଡ଼ିଲା ଡ୍ରୋନ୍, ନୀଳଚକ୍ର ଉପରୁ କଏଦ ହେଲା ଦୃଶ୍ୟ

ଅକ୍ଷର ବ୍ୟୁରୋ: ରଥଯାତ୍ରା ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ବଡ଼ ପ୍ରଶ୍ନ ଉଠିଛି। କଡ଼ା ସୁରକ୍ଷା ବଳୟ ଓ ନୋ-ଫ୍ଲାଇ ଜୋନ୍ ଘୋଷିତ ଅଞ୍ଚଳ ମଧ୍ୟରେ ଜଣେ ବ୍ୟକ୍ତି ଡ୍ରୋନ୍ ଉଡ଼ାଇ ଶ୍ରୀମନ୍ଦିର ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଡ଼ାଣ କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଡ୍ରୋନ୍‌ଟି ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଦୀର୍ଘ ସମୟ ଉଡ଼ିବା ସହ ମନ୍ଦିରର ଭିତର ବେଢ଼ାର ଦୃଶ୍ୟ ମଧ୍ୟ କଏଦ କରିଥିଲା। ଆସନ୍ତା ରଥଯାତ୍ରାକୁ ନେଇ ସମଗ୍ର ପୁରୀ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଥିବା ସତ୍ତ୍ୱେ ଏଭଳି ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ୟ ଯେ, ଗତକାଲି ହିଁ ଶ୍ରୀମନ୍ଦିର ନିକଟରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ମୁକାବିଲା ପାଇଁ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ଏହାର ପରଦିନ ଏଭଳି ଡ୍ରୋନ୍ ଉଡ଼ାଣ ଘଟଣା ପୋଲିସ ଓ ସୁରକ୍ଷା ଏଜେନ୍ସିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଘଟଣାର ସୂଚନା ମିଳିବା ପରେ ପୋଲିସ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଇ ଡ୍ରୋନ୍ ଉଡ଼ାଉଥିବା ବ୍ୟକ୍ତିଙ୍କୁ କାବୁ କରି ସିଂହଦ୍ୱାର ଥାନାକୁ ନେଇଛି। ସମ୍ପୃକ୍ତ ଡ୍ରୋନ୍‌କୁ ମଧ୍ୟ ଜବତ କରାଯାଇଛି। ତେବେ ଡ୍ରୋନ୍ ଚାଳକଙ୍କ ପରିଚୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ଜାରି କରାଯାଇନାହିଁ। ବର୍ତ୍ତମାନ ପୋଲିସ ଡ୍ରୋନ୍‌ର ଫୁଟେଜ୍, ଫ୍ଲାଇଟ୍ ଡାଟା ଓ ଅନ୍ୟାନ୍ୟ ପ୍ରମାଣର ଯାଞ୍ଚ କରୁଥିବା ବେଳେ, ଏହି ଘଟଣା ପଛରେ କୌଣସି ସୁରକ୍ଷା ବିପଦ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟ ରହିଛି କି ନାହିଁ ସେନେଇ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)