ଅକ୍ଷର ବ୍ୟୁରୋ: ଆଉ ମାତ୍ର କେଇଟା ଦିନ ପରେ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା। ସେଥିପାଇଁ ଶ୍ରୀକ୍ଷେତ୍ରରେ ଧାର୍ମିକ ପରିବେଶ ଆହୁରି ସରଗରମ ହୋଇଉଠିଛି। ସ୍ନାନ ପୂର୍ଣ୍ଣିମା ପରଠାରୁ ଅଣସର ଘରେ ଗୁପ୍ତସେବା ଗ୍ରହଣ କରୁଥିବା ମହାପ୍ରଭୁ ଦଶମୂଳ ଓସ୍ବ ସେବନ ପରେ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏହି ପରମ୍ପରାଗତ ସୁସ୍ଥତାର ସନ୍ଦେଶ ଆଜି ରାଜପ୍ରସାଦ ବିଜେ ନୀତି ମାଧ୍ୟମରେ ଗଜପତି ମହାରାଜାଙ୍କୁ ଜଣାଯିବ।
ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଅଣସର ଘରେ ରହି ଦଇତାପତି ସେବାୟତଙ୍କ ଦ୍ୱାରା ଗୁପ୍ତ ଚିକିତ୍ସା ଗ୍ରହଣ କରୁଥିଲେ। ବୈଦ୍ୟଙ୍କ ପରାମର୍ଶ ଅନୁସାରେ ଦଶମୂଳ ଓସ୍ବ ପ୍ରଦାନ କରାଯିବା ପରେ ମହାବାହୁ ସୁସ୍ଥ ହୋଇଥିବା ପରମ୍ପରା ଅନୁଯାୟୀ ଗଜପତି ମହାରାଜାଙ୍କୁ ଅବଗତ କରାଯାଏ। ଏହି ପବିତ୍ର ପରମ୍ପରାକୁ ରାଜପ୍ରସାଦ ବିଜେ ନୀତି ବୋଲି କୁହାଯାଏ।
ଆଜି ସକାଳ ଧୂପ ନୀତି ଶେଷ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ ଏବଂ ବେହେରଣ ଦ୍ୱାର ଖୋଲାଯିବ। ଏହାପରେ ଶ୍ରୀମନ୍ଦିରରୁ ଶ୍ରୀନଅର ଅଭିମୁଖେ ରାଜପ୍ରସାଦ ବିଜେ ନୀତି ସମ୍ପାଦିତ ହେବ। ଅଣସର ସମୟରେ ଶ୍ରୀଅଙ୍ଗରୁ ବାହାରିଥିବା ପବିତ୍ର ପ୍ରସାଦ, ଚନ୍ଦନ, କରାଳ ଓ ପାଟଡୋରିକୁ ଦଇତାପତି ସେବାୟତମାନେ ନେଇ ଶ୍ରୀନଅରରେ ପହଞ୍ଚିବେ। ମହାପ୍ରଭୁଙ୍କ ପ୍ରଥମ ସେବକ ଗଜପତି ମହାରାଜାଙ୍କୁ ଏହି ପ୍ରସାଦ ଭେଟି ଦିଆଯିବା ସହ ମହାପ୍ରଭୁଙ୍କ ସୁସ୍ଥତାର ସନ୍ଦେଶ ପ୍ରଦାନ କରାଯିବ।
ଏହି ନୀତି ଅବସରରେ ବାଡଗ୍ରାହୀ, ଦଇତାପତି ସମ୍ପ୍ରଦାୟର ସେବାୟତମାନେ ରାଜପ୍ରସାଦରେ ଉପସ୍ଥିତ ରହିବେ। ରାଜପ୍ରସାଦ ବିଜେ ନୀତି ଶେଷ ହେବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଦଇତାପତି ସେବାୟତଙ୍କ ସହ ଆଲୋଚନା କରି ମହାପ୍ରଭୁଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ପରବର୍ତ୍ତୀ ନୀତିକାନ୍ତି ସମ୍ପର୍କରେ ଅବଗତ ହେବେ। ସେପଟେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତିନି ରଥର ପ୍ରଭା ଓ ସିଂହାସନ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ମିଳିଛି। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ପରେ ରଥଯାତ୍ରାକୁ ନେଇ ଏବେଠାରୁ ପୁରୀରେ ଭକ୍ତମାନଙ୍କ ଉତ୍ସାହ ଓ ଆଧ୍ୟାତ୍ମିକ ଆବେଗ ଚରମରେ ପହଞ୍ଚିଛି।
















Leave a Reply