ଅକ୍ଷର ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ପୂର୍ବରୁ ଭକ୍ତଙ୍କ ପାଇଁ ଆସିଛି ବଡ଼ ସୂଚନା। ଚଳିତ ବର୍ଷ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କମ୍ ସମୟ ପାଇଁ ଅନୁଷ୍ଠିତ ହେବ। ଆସନ୍ତା ୧୪ ତାରିଖ ଅପରାହ୍ନ ପ୍ରାୟ ୨ଟାରୁ ନବଯୌବନ ଦର୍ଶନ ଆରମ୍ଭ ହେବ। ତେବେ ନୀତିକାନ୍ତିର ବହୁଳତାକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କୁ କେବଳ ସୀମିତ ସମୟ ପାଇଁ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ମିଳିବ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ନବଯୌବନ ବେଶ ପରେ ଶ୍ରୀଜିଉଙ୍କ ବିଭିନ୍ନ ନୀତି ଓ ପରମ୍ପରା ଅଧିକ ଥିବାରୁ ଦର୍ଶନ ସମୟକୁ ସୀମିତ ରଖାଯାଇଛି। ଏହାଛଡ଼ା ନେତ୍ରୋତ୍ସବର ପରଦିନ ଉଭା ଅମାବାସ୍ୟାରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ। ତେଣୁ ନବଯୌବନ ଦର୍ଶନ ପାଇଁ ପୁରୀ ଆସୁଥିବା ଭକ୍ତମାନଙ୍କୁ ଏହି ସମୟସୂଚୀକୁ ଧ୍ୟାନରେ ରଖି ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି। ବୈଠକରେ ପୁରୀ ଜିଲ୍ଲାପାଳ, ଜିଲ୍ଲା ଏସ୍ପି, ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ସଦସ୍ୟ, ଛତିଶା ନିଯୋଗର ନାୟକମାନେ ଏବଂ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଆସନ୍ତା ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ସହ ମହାପ୍ରଭୁଙ୍କ ନୀତିକାନ୍ତି ନିର୍ବିଘ୍ନରେ ସମ୍ପାଦନ ପାଇଁ ବିସ୍ତୃତ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ଭକ୍ତଙ୍କ ଭିଡ଼, ସୁରକ୍ଷା, ଦର୍ଶନ ବ୍ୟବସ୍ଥା ଓ ନୀତିକାନ୍ତିର ସୁଚାରୁ ପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି।
















Leave a Reply