ବଙ୍ଗୋପସାଗରରେ ଭୂକମ୍ପ ଝଟକା; ବିଶାଖାପାଟଣାରେ ଥରିଲା ଧରିତ୍ରୀ, ଭୟରେ ଘରୁ ବାହାରିଲେ ଲୋକେ

ଅକ୍ଷର ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଆଜି ସକାଳେ ୪.୫ ତୀବ୍ରତାର ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବ ବିଶେଷ କରି ବିଶାଖାପାଟଣା ସହର ଏବଂ ଆଖପାଖ ଅଞ୍ଚଳରେ ଅନୁଭୂତ ହେବାରୁ ଲୋକମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟର ପରିବେଶ ସୃଷ୍ଟି ହୋଇଥିଲା। ଭୂକମ୍ପର ଝଟକା ଅନୁଭବ କରି ଅନେକ ଲୋକ ଘର ଓ ବହୁତଳ କୋଠାରୁ ବାହାରକୁ ଦୌଡ଼ି ଆସିଥିଲେ। ତେବେ ଏପର୍ଯ୍ୟନ୍ତ କୌଣସି ପ୍ରାଣହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ସୂଚନା ମିଳିନାହିଁ।

ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସେସ୍ (INCOIS) ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଆଜି ସକାଳ ୫ଟା ୫ ମିନିଟ୍ ୪୬ ସେକେଣ୍ଡରେ ଏହି ଭୂକମ୍ପ ରେକର୍ଡ କରାଯାଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ବେଳେ ଭୂକମ୍ପର କେନ୍ଦ୍ରସ୍ଥଳ ବଙ୍ଗୋପସାଗରରେ କାକିନାଡା ଉପକୂଳଠାରୁ ପ୍ରାୟ ୨୨୫ କିଲୋମିଟର ଦୂରରେ ୧୬.୮୦୫° ଉତ୍ତର ଅକ୍ଷାଂଶ ଏବଂ ୮୪.୩୮୧° ପୂର୍ବ ଦ୍ରାଘିମାରେ ରହିଥିଲା। ଭୂକମ୍ପର ଝଟକା ବିଶାଖାପାଟଣା ସହରର ବିଭିନ୍ନ ଅଞ୍ଚଳରେ ସ୍ପଷ୍ଟ ଭାବେ ଅନୁଭୂତ ହୋଇଥିବାରୁ ଲୋକମାନେ ଆତଙ୍କିତ ହୋଇ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ତେବେ ପ୍ରାଥମିକ ତଦନ୍ତରେ କୌଣସି ବଡ଼ ଧରଣର କ୍ଷୟକ୍ଷତି, ପ୍ରାଣହାନି କିମ୍ବା ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିନାହିଁ।

INCOIS ସ୍ପଷ୍ଟ କରିଛି ଯେ, ଏହା ଏକ ମୃଦୁ ଭୂକମ୍ପ ଥିଲା ଏବଂ ଏହା ଯୋଗୁଁ କୌଣସି ସୁନାମି ସତର୍କତା କିମ୍ବା ବିଶେଷ ବିପଦ ସ୍ଥିତି ସୃଷ୍ଟି ହୋଇନାହିଁ। ତଥାପି ପରିସ୍ଥିତି ଉପରେ ସଂପୃକ୍ତ ଏଜେନ୍ସିଗୁଡ଼ିକ ନଜର ରଖିଥିବା ବେଳେ, ଲୋକଙ୍କୁ ଗୁଜବରୁ ଦୂରେଇ ରହି ସରକାରୀ ସୂଚନା ଉପରେ ଭରସା କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)