ଅକ୍ଷର ବ୍ୟୁରୋ: ବନ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ଏବଂ ଜନଜୀବନକୁ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାର ଆକ୍ସନ୍ ମୋଡ୍କୁ ଆସିଛନ୍ତି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବ ସ୍ତରୀୟ ସମୀକ୍ଷା ବୈଠକରେ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ, ସ୍ୱାସ୍ଥ୍ୟସେବା, ବିଶୁଦ୍ଧ ପିଇବା ପାଣି ଯୋଗାଣ ଏବଂ ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇଛି।
ବୈଠକରେ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗର ସଚିବମାନଙ୍କୁ ପରସ୍ପର ସମନ୍ୱୟ ରକ୍ଷା କରି ବନ୍ୟା ପରବର୍ତ୍ତୀ ସମସ୍ତ ଚ୍ୟାଲେଞ୍ଜର ମୁକାବିଲା ପାଇଁ ତ୍ୱରିତ ଓ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ବନ୍ୟାଜଳ ହ୍ରାସ ପରେ କ୍ଷତିଗ୍ରସ୍ତ ରାସ୍ତା, ପୋଲ, ସରକାରୀ ଭିତ୍ତିଭୂମି ଓ ଅନ୍ୟାନ୍ୟ ଜରୁରୀ ସେବାର ମରାମତି ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ସ୍ୱାସ୍ଥ୍ୟସେବା ଓ ବିଶୁଦ୍ଧ ପିଇବା ପାଣି ଯୋଗାଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତରୀ ଟିମ୍ ମୁତୟନ କରିବା, ଆବଶ୍ୟକ ଔଷଧ ଓ ଚିକିତ୍ସା ସାମଗ୍ରୀ ଉପଲବ୍ଧ କରାଇବା ସହ ସଂକ୍ରାମକ ରୋଗର ପ୍ରକୋପକୁ ରୋକିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସଜାଗ ରହିବାକୁ କୁହାଯାଇଛି। ସେହିପରି ପ୍ରଭାବିତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଏହାବ୍ୟତୀତ ବୈଠକରେ ବିଭିନ୍ନ ବିଭାଗର ବଜେଟ୍ ବ୍ୟୟ, ନିଯୁକ୍ତି ପ୍ରକ୍ରିୟା ଏବଂ ଚାଲୁଥିବା ବିକାଶମୂଳକ ପ୍ରକଳ୍ପର ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯାଇଛି। ସରକାରଙ୍କ ନିଶା ନିବାରଣ ଅଭିଯାନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ସମସ୍ତ କାର୍ଯ୍ୟକ୍ରମକୁ କଡ଼ାକଡ଼ି ସହ କାର୍ଯ୍ୟକାରୀ କରିବାକୁ ମଧ୍ୟ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ, ଗଜପତି ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରସ୍ତୁତ ‘ବିକଶିତ ଗଜପତି ବ୍ଲୁ ପ୍ରିଣ୍ଟ’ ବୈଠକରେ ଉପସ୍ଥାପନ କରାଯାଇଥିଲା। ଏଥିରେ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ପ୍ରସ୍ତାବିତ ୨୫ଟି ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସଚିବମାନଙ୍କୁ ଅବଗତ କରାଯାଇଥିଲା। ରାଜ୍ୟର ବନ୍ୟା ପରବର୍ତ୍ତୀ ପୁନର୍ଗଠନ ସହ ଦୀର୍ଘମିଆଦି ବିକାଶ ଯୋଜନାକୁ ଏକାସାଙ୍ଗରେ ଆଗେଇ ନେବାକୁ ସରକାର ଗୁରୁତ୍ୱ ଦେଉଥିବା ଏହି ବୈଠକରୁ ସ୍ପଷ୍ଟ ହୋଇଛି।















Leave a Reply