ଅକ୍ଷର ବ୍ୟୁରୋ: କେନ୍ଦୁଝର ଜିଲ୍ଲାର ବହୁଚର୍ଚ୍ଚିତ ଗୁଳିକାଣ୍ଡ ଘଟଣାରେ ଆସିଛି ଦୁଃଖଦ ମୋଡ଼। ଘଟଗାଁ ଥାନା ଅନ୍ତର୍ଗତ ଖୁଦୁପୁଟୁଳି ଗାଁର ବାସିନ୍ଦା ଜତୀନ୍ଦ୍ର ମହାନ୍ତ ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଏହା ସହ ଗୁଳିକାଣ୍ଡ ଘଟଣା ଏବେ ସମ୍ପୂର୍ଣ୍ଣ ଭାବେ ହତ୍ୟା ମାମଲାରେ ପରିଣତ ହୋଇଛି।
ସୂଚନା ଅନୁଯାୟୀ, ଗତ ରବିବାର ରାତିରେ ଜତୀନ୍ଦ୍ର ମହାନ୍ତଙ୍କ ଘରେ ପଶି ୪ ଜଣ ଦୁର୍ବୃତ୍ତ ତାଙ୍କ ଉପରେ ଗୁଳିମାଡ଼ କରିଥିଲେ। ଗୁଳିଟି ତାଙ୍କ ପେଟରେ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜତୀନ୍ଦ୍ରଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ଦୋଷୀଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଓ ଚର୍ଚ୍ଚା ଜାରି ରହିଛି।
ଅନ୍ୟପଟେ, ମୃତ୍ୟୁ ପରେ ପୋଲିସ ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିଛି। ୪ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଗୁଳିମାଡ଼ ପଛରେ ବ୍ୟକ୍ତିଗତ ଶତ୍ରୁତା, ପୂର୍ବ ବିବାଦ କିମ୍ବା ଅନ୍ୟ କୌଣସି କାରଣ ରହିଛି କି, ସେନେଇ ପୋଲିସ ସମସ୍ତ ଦିଗରୁ ତଦନ୍ତ କରୁଛି। ଜତୀନ୍ଦ୍ରଙ୍କ ମୃତ୍ୟୁ ପରେ ମାମଲାର ଗୁରୁତ୍ୱ ବଢ଼ିଥିବା ବେଳେ, ଦୋଷୀଙ୍କ ଗିରଫ ଓ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିବାକୁ ଏବେ ସମସ୍ତଙ୍କ ନଜର ରହିଛି।












Leave a Reply