ବିବାହର ମାତ୍ର ୨ ମାସ ପରେ ରକ୍ତାକ୍ତ ଅନ୍ତ ! ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କୁ ହତ୍ୟା କରି ଫେରାର ସ୍ୱାମୀ

ଅକ୍ଷର ବ୍ୟୁରୋ: ଜିଲ୍ଲାର ନେମାଳ ଥାନା ଅନ୍ତର୍ଗତ ସହଦେବପୁର ଗ୍ରାମରେ ଘଟିଥିବା ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ବିବାହର ମାତ୍ର ଦୁଇ ମାସ ପରେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ କେନ୍ଦ୍ରାପଡ଼ା ସଦର ଥାନା ନାନକାର ଗ୍ରାମର ରୋଜାଲିନ, ଯେଉଁଠାରେ ଅଭିଯୁକ୍ତ ସ୍ୱାମୀ ଶୈଳେନ୍ଦ୍ର ମଳିକ ଘଟଣା ପରେ ଫେରାର ହୋଇଯାଇଛନ୍ତି।

ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଶୈଳେନ୍ଦ୍ର ଓ ରୋଜାଲିନ ନିଜ ଶୋଇବା ଘରେ ଥିବାବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶୈଳେନ୍ଦ୍ର ଏକ ଟାଙ୍ଗିଆରେ ରୋଜାଲିନଙ୍କ ମୁଣ୍ଡ ଓ କାନ ନିକଟରେ ଆକ୍ରମଣ କରିଥିଲେ। ଗୁରୁତର ଆଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ରୋଜାଲିନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ରହିଛି। ଘଟଣା ପରେ ଅଭିଯୁକ୍ତ ଶୈଳେନ୍ଦ୍ର ଘରର ଅନ୍ୟ ଏକ କୋଠରୀରେ ଥିବା ନିଜ ବାପା, ମା’ ଓ ଭାଇଙ୍କ କବାଟ ବାଡ଼େଇ ସେମାନଙ୍କୁ ମଧ୍ୟ ହାଣି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ସେ ଘରୁ ଫେରାର ହୋଇଯାଇଥିଲେ।

ସୂଚନା ଅନୁଯାୟୀ, ଶୈଳେନ୍ଦ୍ର ମାତ୍ର ଦୁଇ ମାସ ତଳେ ଅହମଦାବାଦରେ ଚାକିରି ଛାଡ଼ି ଘରକୁ ଫେରିଥିଲେ ଏବଂ ରୋଜାଲିନଙ୍କୁ ବିବାହ କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପୂର୍ବରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ବଡ଼ ବିବାଦ ନଥିଲା। ତେଣୁ ହଠାତ୍ ଏଭଳି ଜଘନ୍ୟ ଘଟଣା କାହିଁକି ଘଟିଲା, ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଅନ୍ୟପଟେ ରୋଜାଲିନଙ୍କ ପରିବାର ଲୋକେ ଏହି ହତ୍ୟାକାଣ୍ଡରେ ଶୈଳେନ୍ଦ୍ରଙ୍କ ପରିବାର ସଦସ୍ୟଙ୍କ ସମ୍ପୃକ୍ତି ଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ହେଲେ ଶୈଳେନ୍ଦ୍ରଙ୍କ ବାପା ଓ ମା’ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ସେମାନେ ଘଟଣା ସମ୍ପର୍କରେ କିଛି ଜାଣିନଥିଲେ ଏବଂ ଏହା ଏକ ଆକସ୍ମିକ ଘଟଣା। ଖବର ପାଇ ନେମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପୋଲିସ କହିଛି, ଅଭିଯୁକ୍ତଙ୍କୁ ଗିରଫ କରିବା ଏବଂ ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ଘଟଣାର ପ୍ରକୃତ କାରଣ ଓ ସତ୍ୟାସତ୍ୟ ସ୍ପଷ୍ଟ ହେବ। ବର୍ତ୍ତମାନ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial