ମଦନପୁର କଲେଜ ଛାତ୍ର ଆକ୍ରମଣ ମାମଲାରେ ବଡ଼ ଅପଡେଟ୍: ଜଣେ ଗିରଫ, ୩ ଜଣଙ୍କୁ ଅଟକ ରଖି ପଚରାଉଚରା; ଅନ୍ୟ ଅଭିଯୁକ୍ତ ଏବେ ବି ଫେରାର

ଅକ୍ଷର ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲାର ମଦନପୁର କଲେଜ ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ ତଦନ୍ତରେ ଅଗ୍ରଗତି ହୋଇଛି। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବାବେଳେ ସେମାନଙ୍କ ମଧ୍ୟରୁ ଦେବେଶ ମଳିକ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ପୁଲିସ ଦେବେଶ ମଳିକଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୩୭(୨), ୧୧୫(୨), ୨୯୬ ଏବଂ ୩(୫) ଅନୁଯାୟୀ ମାମଲା ରୁଜୁ କରିଛି। ଅନ୍ୟ ଦୁଇ ଅଟକ ବ୍ୟକ୍ତିଙ୍କୁ ନେଇ ପଚରାଉଚରା ଜାରି ରହିଥିବା ସୂଚନା ମିଳିଛି।

ଅଭିଯୋଗ ଅନୁସାରେ, ଗତ ୩ ତାରିଖରେ ମଦନପୁର କଲେଜର ଜଣେ ଛାତ୍ରଙ୍କୁ ୧୫ରୁ ଅଧିକ ଯୁବକ ଏକ ନିଛାଟିଆ ସ୍ଥାନକୁ ଡାକି ନେଇ ନିସ୍ତୁକ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଛାତ୍ରଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଘଟଣାର ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କେବଳ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିପାରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଏବେ ବି ଫେରାର ରହିଛନ୍ତି। ସେମାନଙ୍କୁ ଧରିବାରେ ବିଳମ୍ବକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି ଏବଂ ପୁଲିସ ତଦନ୍ତର ଗତିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ପୁଲିସର କହିବା ଅନୁସାରେ, ଫେରାର ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ତଦନ୍ତ ଜାରି ରହିଛି। ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial