ଭାବୀ ପତ୍ନୀଙ୍କୁ ଉପହାର ଦେବା ପାଇଁ ମୋବାଇଲ୍ ଲୁଟ୍! ଶ୍ରୀଲିଙ୍ଗରାଜ ଥାନା ପୋଲିସ ଜାଲରେ ୨ ଲୁଟେରା

ଅକ୍ଷର ବ୍ୟୁରୋ: ଭୁବନେଶ୍ୱରରେ ମୋବାଇଲ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ଶ୍ରୀଲିଙ୍ଗରାଜ ଥାନା ପୋଲିସ। ଜଣେ ମହିଳାଙ୍କ ହାତରୁ ମୋବାଇଲ୍ ଝାମ୍ପି ନେବା ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଜଣେ ଅଭିଯୁକ୍ତ ଏବେ ମଧ୍ୟ ଫେରାର ରହିଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ଲୁଟ୍ ହୋଇଥିବା ପୋକୋ ମୋବାଇଲ୍ ଓ ଅପରାଧରେ ବ୍ୟବହୃତ ପଲସର ବାଇକ୍ ଜବତ କରିଛି ପୋଲିସ।

ସୂଚନା ଅନୁସାରେ, କିଛିଦିନ ପୂର୍ବେ ରାଧାବଲ୍ଲଭ ମଠ ନିକଟରେ ଜଣେ ମହିଳା ରାସ୍ତାରେ ଯାଉଥିବା ବେଳେ ତିନି ଜଣ ଦୁର୍ବୃତ୍ତ ତାଙ୍କ ହାତରୁ ପୋକୋ ମୋବାଇଲ୍ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଘଟଣା ପରେ ଶ୍ରୀଲିଙ୍ଗରାଜ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍‌ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ପୋଲିସ ମୁଖ୍ୟ ଅଭିଯୁକ୍ତ ରାକେଶ ନାୟକ ଏବଂ ତାଙ୍କ ସହଯୋଗୀ ଦେବବ୍ରତ ବରାଳଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ଲୁଟ୍ ହୋଇଥିବା ମୋବାଇଲ୍ ଫୋନ୍ ସହ ଲୁଟ୍ କାଣ୍ଡରେ ବ୍ୟବହୃତ ପଲସର ମୋଟରସାଇକେଲ୍‌କୁ ମଧ୍ୟ ଜବତ କରାଯାଇଛି।

ପୋଲିସର ପଚରାଉଚରା ବେଳେ ମୁଖ୍ୟ ଅଭିଯୁକ୍ତ ରାକେଶ ନାୟକ ଚମକପ୍ରଦ ତଥ୍ୟ ଦେଇଛି। ସେ ସ୍ୱୀକାର କରିଛି ଯେ, ଭାବୀ ପତ୍ନୀଙ୍କୁ ଉପହାର ଦେବା ପାଇଁ ଟଙ୍କା ଯୋଗାଡ଼ କରିବା ଉଦ୍ଦେଶ୍ୟରେ ସେ ସାଙ୍ଗମାନଙ୍କ ସହ ମିଶି ଏହି ଲୁଟ୍ ଯୋଜନା କରିଥିଲା। ପୋଲିସ ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ରାକେଶ ନାୟକଙ୍କ ନାମରେ ପୂର୍ବରୁ ୨ଟି ଆପରାଧିକ ମାମଲା ରହିଛି। ଗିରଫ ହୋଇଥିବା ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଫେରାର ତୃତୀୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ଚଢ଼ାଉ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial