ଜଙ୍ଗଲରୁ ମିଳିଲା ମୃତ ହାତୀର ଅସ୍ଥି, ମାସେ ତଳେ ହୋଇଥିଲା ମୃତ୍ୟୁ!

ଅକ୍ଷର ବ୍ୟୁରୋ: ଜଙ୍ଗଲ ଭିତରୁ ଉଦ୍ଧାର ହେଲା ମୃତ ହାତୀର ଅସ୍ଥି। ଦେବଗଡ଼ ବନଖଣ୍ଡ ଅଧୀନ ରିଆମାଳ ବନାଞ୍ଚଳର ନୂଆଡିହ ସେକ୍ସନର ଖିଲେଇ ଗ୍ରାମ ନିକଟସ୍ଥ ଗୋଗୁଆ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଏହି ଅସ୍ଥି ଉଦ୍ଧାର କରିଛି। ହାତୀଟିର ପ୍ରାୟ ଏକ ମାସ ପୂର୍ବରୁ ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ପ୍ରାଥମିକ ଭାବେ ଅନୁମାନ କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ଫରେଷ୍ଟ ପେଟ୍ରୋଲିଂ ଟିମ୍ ଗୋଗୁଆ ସଂରକ୍ଷିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଜଙ୍ଗଲ ମଧ୍ୟରେ ହାତୀର ଅସ୍ଥି ପଡ଼ିଥିବା ଦେଖିଥିଲେ। ଏନେଇ ତୁରନ୍ତ ବନ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ। ପରେ ବିଭିଓଙ୍କ ଉପସ୍ଥିତିରେ ଅସ୍ଥିଗୁଡ଼ିକୁ ସଂଗ୍ରହ କରାଯାଇଥିଲା। ଅଧିକ ତଦନ୍ତ ଓ ପରୀକ୍ଷା ପାଇଁ ସଂଗୃହୀତ ଅସ୍ଥିକୁ ଭୁବନେଶ୍ୱରସ୍ଥିତ ଓୟୁଏଟି ଲ୍ୟାବ୍‌କୁ ପଠାଯାଇଛି।ହାତୀଟିର ପ୍ରକୃତ ବୟସ କେତେ ଏବଂ ଏହା ମାଈ ନା ଅଣ୍ଡିରା, ତାହା ଓୟୁଏଟି ଲ୍ୟାବ୍‌ର ପରୀକ୍ଷା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ। ସେହିପରି ହାତୀର ମୃତ୍ୟୁର ପ୍ରକୃତ କାରଣ ମଧ୍ୟ ଲ୍ୟାବ୍‌ ରିପୋର୍ଟ ପରେ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ପ୍ରାଥମିକ ତଦନ୍ତରୁ ହାତୀଟି ଏକ ମାଈ ହାତୀ ଏବଂ ଏହାର ମୃତ୍ୟୁ ପ୍ରାକୃତିକ ଭାବେ ଘଟିଥିବା ଅନୁମାନ କରାଯାଇଛି। ତଦନ୍ତକାରୀ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଦେବଗଡ଼ ବନଖଣ୍ଡ ଅଧିକାରୀ ମିସ୍ ରଶ୍ମି ଜିଙ୍କ ସୂଚନା ଅନୁଯାୟୀ, ଓୟୁଏଟି ଲ୍ୟାବ୍‌ରୁ ପରୀକ୍ଷା ରିପୋର୍ଟ ମିଳିବା ପରେ ହାତୀଟିର ମୃତ୍ୟୁ ସମ୍ପର୍କିତ ଅଧିକ ତଥ୍ୟ ଓ ପ୍ରକୃତ କାରଣ ସ୍ପଷ୍ଟ ହେବ। ଜଙ୍ଗଲରେ ପଡ଼ିଥିବା ଅସ୍ଥିରୁ ମିଳିଲା ହାତୀ ମୃତ୍ୟୁର ସୁରାଗ। ଏବେ ଓୟୁଏଟି ଲ୍ୟାବ୍‌ ରିପୋର୍ଟକୁ ଅପେକ୍ଷା—ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ହାତୀର ପରିଚୟ, ବୟସ ଓ ମୃତ୍ୟୁର ପ୍ରକୃତ କାରଣ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial