ଅକ୍ଷର ବ୍ୟୁରୋ: ଲଘୁଚାପ ପ୍ରଭାବରେ ଆହୁରି ବିଗିଡ଼ିବ ପାଣିପାଗ। ସାରା ରାଜ୍ୟରେ ବର୍ଷାର ପ୍ରଭାବ ବଢ଼ିବା ସହ ବିଭିନ୍ନ ସ୍ଥାନରେ ପ୍ରବଳରୁ ଭୀଷଣ ବର୍ଷା ହେବାର ଆଶଙ୍କା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଶେଷକରି ତିନୋଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ଅନେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଅନ୍ୟ ୮ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ପ୍ରାୟ ୧୧ଟି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ବର୍ଷା ସମୟରେ ଲୋକଙ୍କୁ ସତର୍କ ରହିବା ସହ ଆବଶ୍ୟକ ନଥିଲେ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ଆସନ୍ତାକାଲିର ପାଣିପାଗକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। କେନ୍ଦୁଝର ଜିଲ୍ଲାକୁ ରେଡ୍ ଆଲର୍ଟ ଶ୍ରେଣୀରେ ରଖିଛି ପାଣିପାଗ ବିଭାଗ। ଏହାସହ ଅନ୍ୟ ୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି। ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଲେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ। ତଳିଆ ଅଞ୍ଚଳରେ ପାଣି ଜମିବା ସହ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଲଘୁଚାପର ପ୍ରଭାବ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଥିବାରୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପାଣିପାଗ ଉପରେ ବିଶେଷ ନଜର ରଖାଯାଇଛି।












Leave a Reply