୧୫ ଦିନରେ ବନ୍ୟାରେ ବେହାଲ ଓଡ଼ିଶା: ୨୪ ଜିଲ୍ଲା ପ୍ରଭାବିତ, ୭.୨୨ ଲକ୍ଷ ଲୋକ ସ୍ଥାନାନ୍ତର

ଅକ୍ଷର ବ୍ୟୁରୋ: ଗୋଟିଏ ପରେ ଗୋଟିଏ ବନ୍ୟା ଓ ଲଗାଣ ବର୍ଷାରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି। ଗତ ୧୫ ଦିନ ମଧ୍ୟରେ ରାଜ୍ୟର ୨୪ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଛି। ଆଗକୁ ପୁଣି ବର୍ଷା ଓ ଲଘୁଚାପର ସମ୍ଭାବନା ଥିବାରୁ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ବନ୍ୟାରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ହେକ୍ଟର ଚାଷଜମି ଓ ଘର କ୍ଷତିଗ୍ରସ୍ତ ହୋଇଛି।

ରିପୋର୍ଟ ଅନୁଯାୟୀ, ୨୪ ଜିଲ୍ଲାର ୧୫୪ଟି ବ୍ଲକ୍‌ ଅଧୀନରେ ୮୭୯ଟି ଗ୍ରାମ ପଞ୍ଚାୟତ ଏବଂ ୨,୮୫୫ଟି ଗାଁ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ସହରାଞ୍ଚଳର ୨୦୯ଟି ୱାର୍ଡ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୧୩ ଲକ୍ଷ ୭୧ ହଜାର ୩୩୮ ଜଣ ଲୋକ ବନ୍ୟାର ପ୍ରଭାବରେ ଆସିଛନ୍ତି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୩୬୬ଟି ଗାଁରୁ ୭ ଲକ୍ଷ ୨୨ ହଜାର ୭୩୨ ଜଣଙ୍କୁ ପର୍ଯ୍ୟାୟକ୍ରମେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତଙ୍କ ପାଇଁ ୭୮୩ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି ଏବଂ ଏଠାରେ ୭ ଲକ୍ଷ ୨୬ ହଜାର ୪୪୧ ଜଣଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ସେହିପରି ୩୧ଟି ସ୍ଥାନରେ ପଶୁସମ୍ପଦକୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ବନ୍ୟା ପ୍ରଭାବିତଙ୍କୁ ୯୦.୫ କ୍ୱିଣ୍ଟାଲ ଚାଉଳ, ୩୫୬.୩ କିଲୋଗ୍ରାମ ଗୁଡ଼ ଏବଂ ୮,୭୦୮ଟି ପଲିଥିନ ଯୋଗାଇ ଦିଆଯାଇଛି। ବିଭିନ୍ନ ଜିଲ୍ଲାର ରିଲିଫ୍ କାର୍ଯ୍ୟ ପାଇଁ ୧୧୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଆଉ ୨୬ କୋଟି ଟଙ୍କାର ଅତିରିକ୍ତ ସହାୟତା ଯୋଗାଇ ଦିଆଯାଇଛି। ଏପର୍ଯ୍ୟନ୍ତ ୭୯ ହଜାର ୮୨୪ ହେକ୍ଟର ଚାଷଜମି ଏବଂ ୫,୦୪୪ଟି ଘର କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। କିଛି ଜିଲ୍ଲାରୁ ପୂର୍ଣ୍ଣାଙ୍ଗ କ୍ଷୟକ୍ଷତି ରିପୋର୍ଟ ଆସିଥିବା ବେଳେ ଅନ୍ୟ ଜିଲ୍ଲାର ରିପୋର୍ଟ ମିଳିବା ପରେ ମୋଟ କ୍ଷୟକ୍ଷତିର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ। ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସରକାର ସ୍ୱତନ୍ତ୍ର ସହାୟତା ଯୋଜନା କରୁଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସ୍ୱଳ୍ପ ମିଆଦି ଧାନ ବିହନ ଯୋଗାଇ ଦିଆଯିବ। ପନିପରିବା ଚାଷୀଙ୍କୁ ମଧ୍ୟ ଅତିରିକ୍ତ ସହାୟତା ମିଳିବ।

କୃଷି, ସମବାୟ ଏବଂ ପଶୁସମ୍ପଦ ବିଭାଗ ପକ୍ଷରୁ ଏନେଇ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରସ୍ତୁତ କରାଯାଉଛି। ଏଥିପାଇଁ ଡାଟାବେସ୍ ପ୍ରସ୍ତୁତି କାମ ଚାଲିଛି। ସରକାରୀ ନିୟମାବଳୀ ଅନୁଯାୟୀ, ଯାହାର ଯେତିକି କ୍ଷତି ହୋଇଛି, ସେହି ଅନୁପାତରେ କ୍ଷତିପୂରଣ ଦିଆଯିବ। କୌଣସି ପ୍ରଭାବିତ ବ୍ୟକ୍ତି ସହାୟତାରୁ ବଞ୍ଚିତ ହୋଇଥିଲେ ନିକଟସ୍ଥ ପଞ୍ଚାୟତ କିମ୍ବା ବ୍ଲକ୍ କାର୍ଯ୍ୟାଳୟରେ ଅଭିଯୋଗ ଜଣାଇପାରିବେ। ବର୍ତ୍ତମାନ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ କୌଣସି କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବାର ଯୋଜନା ନାହିଁ। ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାରଙ୍କୁ ଅଧିକ ସହାୟତା ମଗାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ କହିଛନ୍ତି। ସେପଟେ ଚାଷୀଙ୍କ କ୍ଷୟକ୍ଷତି ଓ ସେମାନଙ୍କୁ ସହାୟତା ନେଇ ଆଜି କ୍ୟାବିନେଟ୍‌ରେ ଆଲୋଚନା ହେବ। ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆକଳନ ପରେ ହିଁ ରାଜ୍ୟର ମୋଟ କ୍ଷତିର ପରିମାଣ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial