ଅକ୍ଷର ବ୍ୟୁରୋ: ଆଜି ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଆଲୋଚନା ସହ ଅନୁମୋଦନର ମୋହର ବାଜିପାରେ। ବିଭିନ୍ନ ବିଭାଗ ପକ୍ଷରୁ ଏକାଧିକ ପ୍ରସ୍ତାବ ବୈଠକରେ ଉପସ୍ଥାପନ କରାଯିବାର ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଆଜିର କ୍ୟାବିନେଟ୍ ବୈଠକରେ ରାଜସ୍ୱ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ, ପଞ୍ଚାୟତିରାଜ, ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ସମେତ ବିଭିନ୍ନ ବିଭାଗର ପ୍ରସ୍ତାବ ଉପସ୍ଥାପିତ ହେବ। ଏହି ପ୍ରସ୍ତାବଗୁଡ଼ିକ ଉପରେ ମନ୍ତ୍ରିମଣ୍ଡଳର ଆଲୋଚନା ପରେ କେଉଁ କେଉଁ ପ୍ରସ୍ତାବକୁ ଅନୁମୋଦନ ମିଳୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର। ରାଜ୍ୟ ସରକାର ପ୍ରତ୍ୟେକ ବିଭାଗରେ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିସହ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ୨୫ଟି ଲେଖାଏଁ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।
ସରକାରଙ୍କ ପକ୍ଷରୁ ବିଶେଷକରି କୃଷକଙ୍କ ବିକାଶ, ମହିଳା ସଶକ୍ତୀକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି। କୃଷକଙ୍କ ବିକାଶ ପାଇଁ ଇନ୍ପୁଟ୍ ସବ୍ସିଡି ପ୍ରଦାନ, ମହିଳା ସଶକ୍ତୀକରଣ ପାଇଁ ‘ସୁଭଦ୍ରା’ ଯୋଜନା, ଶିକ୍ଷାକୁ ସାର୍ବଜନୀନ କରିବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଆଜିର କ୍ୟାବିନେଟ୍ ବୈଠକରେ ଏସବୁ କ୍ଷେତ୍ର ସମ୍ପର୍କିତ ପ୍ରସ୍ତାବ ଉପରେ କିଛି ବଡ଼ ନିଷ୍ପତ୍ତି ଆସିବ କି ନାହିଁ, ତାହା ଉପରେ ରହିଛି ନଜର।












Leave a Reply