ଅକ୍ଷର ବ୍ୟୁରୋ: ଆଜି ବିଶ୍ୱ ହାତୀ ଦିବସ। ହାତୀ ସୁରକ୍ଷା ଓ ସଂରକ୍ଷଣ ନେଇ ସଚେତନତାର ଦିନରେ ସମ୍ବଲପୁରରୁ ଆସିଛି ଦୁଃଖଦ ଖବର। ସଦର ରେଞ୍ଜ ଅନ୍ତର୍ଗତ ମୁଣ୍ଡେର ଜଙ୍ଗଲରୁ ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି। ଜିଲ୍ଲାରେ ବାରମ୍ବାର ହାତୀ ମୃତ୍ୟୁ ଘଟୁଥିବା ବେଳେ ବିଶ୍ୱ ହାତୀ ଦିବସରେ ଏଭଳି ଘଟଣା ଚିନ୍ତା ବଢ଼ାଇଛି।
ସୂଚନା ଅନୁଯାୟୀ, ମାଈ ହାତୀଟିର ପ୍ରାୟ ୩ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଜଙ୍ଗଲରେ ମୃତଦେହ ପଚିଶଢ଼ି ଦୁର୍ଗନ୍ଧ ବାହାରିବା ପରେ ଆଜି ଏହି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଖବର ପାଇବା ପରେ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି। ହାତୀଟିର ମୃତ୍ୟୁ ସ୍ୱାଭାବିକ ଭାବେ ହୋଇଛି ନା ଏହା ପଛରେ ଶିକାରୀଙ୍କ ସମ୍ପୃକ୍ତି ରହିଛି, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ମିଳିନାହିଁ। ବନ ବିଭାଗ ପକ୍ଷରୁ ହାତୀର ଶବ ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି।
ସମ୍ବଲପୁର ଜିଲ୍ଲାରେ ହାତୀ ମୃତ୍ୟୁର ଘଟଣା ନୂଆ ନୁହେଁ। ମାତ୍ର ମାସକ ପୂର୍ବରୁ ପଡ଼ିବହାଲ ରେଞ୍ଜର ମିର୍ଧାପଡ଼ା ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ମିଳିଥିଲା। ସେହି ଘଟଣାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ସେତେବେଳେ ମଧ୍ୟ ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ବନ ବିଭାଗ ଘଟଣା ସମ୍ପର୍କରେ ଜାଣିଥିଲା। ଏବେ ପୁଣି ମୁଣ୍ଡେର ଜଙ୍ଗଲରୁ ମାଈ ହାତୀର ମୃତଦେହ ମିଳିବା ପରେ ହାତୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ବାରମ୍ବାର ହାତୀ ମୃତ୍ୟୁ ଘଟଣାକୁ ନେଇ ପରିବେଶବିତ୍ ଓ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ବିଶ୍ୱ ହାତୀ ଦିବସ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦିନରେ ପୁଣି ଏକ ହାତୀର ମୃତ୍ୟୁ ହାତୀ ସୁରକ୍ଷା ଓ ବନ ବିଭାଗର ନିରୀକ୍ଷଣ ବ୍ୟବସ୍ଥା ଉପରେ ପୁଣିଥରେ ପ୍ରଶ୍ନଚିହ୍ନ ଠିଆ କରିଛି।












Leave a Reply