ସ୍କୁଲ୍‌ ଭିତରେ ବୁଲା କୁକୁରର ଆତଙ୍କ: ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଅକ୍ଷର ବ୍ୟୁରୋ: ବିଦ୍ୟାଳୟ ପରିସରରେ ଛାତ୍ରଙ୍କ ସୁରକ୍ଷାକୁ ନେଇ ସାମ୍ନାକୁ ଆସିଛି ଚିନ୍ତାଜନକ ଘଟଣା। ବାଲେଶ୍ୱର ଜିଲ୍ଲା ନୀଳଗିରି ସଦର ଥାନା ଅଧୀନ ରସାଳପୁର ଗ୍ରାମର ଭୀମପୁର ସରକାରୀ ବିଦ୍ୟାଳୟରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ବୁଲା କୁକୁର ଆକ୍ରମଣ କରିଛି। ପାଠ ପଢ଼ୁଥିବା ବେଳେ ଶ୍ରେଣୀ ଗୃହ ଭିତରକୁ କୁକୁର ପଶି ଛାତ୍ରଙ୍କୁ କାମୁଡ଼ି ଦେଇଥିବାରୁ ସେ ଗୁରୁତର ଆହତ ହୋଇଛନ୍ତି।

ଆହତ ଛାତ୍ର ହେଉଛନ୍ତି ତୃତୀୟ ଶ୍ରେଣୀର ପବିତ୍ର କୁମାର ରଣା। ସୂଚନା ଅନୁଯାୟୀ, ପବିତ୍ର ଶ୍ରେଣୀ ଗୃହରେ ବସି ପାଠ ପଢ଼ୁଥିବା ସମୟରେ ହଠାତ୍ ଏକ ବୁଲା କୁକୁର ଭିତରକୁ ପଶିଥିଲା। କିଛି ବୁଝିବା ପୂର୍ବରୁ କୁକୁରଟି ତାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ତାଙ୍କ ହାତର ଆଙ୍ଗୁଠିରେ ଗୁରୁତର ଆଘାତ ଲାଗିଛି। ଘଟଣା ପରେ ରକ୍ତାକ୍ତ ଅବସ୍ଥାରେ ପବିତ୍ରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଆଘାତ ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବିଦ୍ୟାଳୟ ଭିତରେ ଛାତ୍ରଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। ସ୍କୁଲ୍‌ ପରିସରରେ ଏଭଳି ଘଟଣା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଗ୍ରାମବାସୀମାନେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ଶ୍ରେଣୀ ଗୃହ ଭିତରକୁ ବୁଲା କୁକୁର କିପରି ପ୍ରବେଶ କଲା, ପିଲାଙ୍କ ସୁରକ୍ଷା ପାଇଁ ବିଦ୍ୟାଳୟ ପକ୍ଷରୁ କେଉଁ ପଦକ୍ଷେପ ନିଆଯାଇଥିଲା ଏବଂ ଏଭଳି ଘଟଣାକୁ ରୋକିବାରେ କାହିଁକି ବିଫଳତା ହେଲା ଏସବୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି।

ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ବୁଲା କୁକୁରଙ୍କ ଉପଦ୍ରବ ନିୟନ୍ତ୍ରଣ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି। ବିଦ୍ୟାଳୟ ଭଳି ସୁରକ୍ଷିତ ପରିବେଶରେ ଜଣେ ଛାତ୍ର ବୁଲା କୁକୁର ଆକ୍ରମଣର ଶିକାର ହେବା ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ମଧ୍ୟ ଚିନ୍ତା ବଢ଼ିଛି। ବୁଲା କୁକୁରଙ୍କ ଉପଦ୍ରବ ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଥିବା ବେଳେ ସ୍କୁଲ୍‌ ପରିସରରେ ଏଭଳି ଘଟଣା ପ୍ରଶାସନିକ ନିରୀକ୍ଷଣ ଓ ଛାତ୍ର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଠିଆ କରିଛି। ଏହି ଘଟଣାରେ କିଏ ଉତ୍ତରଦାୟୀ ଏବଂ ଭବିଷ୍ୟତରେ ଏଭଳି ଘଟଣା ରୋକିବାକୁ କଣ ପଦକ୍ଷେପ ନିଆଯିବ, ତାହା ଏବେ ବଡ଼ ପ୍ରଶ୍ନ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial