ଅକ୍ଷର ବ୍ୟୁରୋ: ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଛି ଅବପାତ। ଏହା ପ୍ରାୟ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ଅବପାତର ପ୍ରଭାବରେ ଓଡ଼ିଶାର ଉତ୍ତର ଓ ପଶ୍ଚିମ ଜିଲ୍ଲାରେ ବର୍ଷାର ପ୍ରଭାବ ବଢ଼ିବା ଆଶଙ୍କା ରହିଛି।
ପାଣିପାଗ ବିଭାଗ ପକ୍ଷରୁ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ସହ ରାସ୍ତାଘାଟ ଓ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇପାରେ। ସେହିପରି ଆଉ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ମଧ୍ୟ ଭାରୀ ବର୍ଷାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅବପାତର ଗତିପଥ ଏବଂ ଏହାର ପ୍ରଭାବ ଉପରେ ପାଣିପାଗ ବିଭାଗ ନଜର ରଖିଛି। ପୂର୍ବରୁ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଣି ପ୍ରବଳ ବର୍ଷା ହେଲେ ସ୍ଥିତି ଜଟିଳ ହେବା ଆଶଙ୍କା ରହିଛି। ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ବିଶେଷକରି ନଦୀ, ନାଳ ଓ ତଳିଆ ଅଞ୍ଚଳ ନିକଟକୁ ନଯିବା ସହ ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି।














Leave a Reply